ସରକାରୀ କାର୍ଯ୍ୟରେ ଅବହେଳା ପାଇଁ କିରାଣୀଙ୍କୁ ଚାକିରିରୁ ବହିଷ୍କୃତ

ଛତ୍ରପୁର : ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ କଥାକୁ ଅବମାନନା, ସରକାରୀ କାର୍ଯ୍ୟରେ ଘୋର ଅବହେଳା, ଦୀର୍ଘଦିନ ଧରି କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଏବଂ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ପକ୍ଷରୁ ୧୩୮ ଦଫା (ଏନ୍‌ଆଇ) ଆକ୍ଟରେ ଦୋଷୀ ସାବ୍ୟସ୍ତ ପାଇଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତହସିଲର କିରାଣୀ ତଥା ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ସହକାରୀ ରାଜସ୍ୱ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଦିନ ପାଇଁ ଚାକିରିରୁ ବହିଷ୍କୃତ କରିଛନ୍ତି । ଗତ ୪ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ପତ୍ର ସଂଖ୍ୟା ୧୧୨୬ ଅନୁସାରେ ଶ୍ରୀ ତ୍ରିପାଠୀଙ୍କୁ ଚାକିରିରୁ ବହିଷ୍‌ୃତ କରିଥିବା ସହ ଭବିଷ୍ୟତରେ କୌଣସି ସରକାରୀ ନିଯୁକ୍ତି ହୋଇପାରିବେ ନାହିଁ ବୋଲି ଦର୍ଶାଇଛନ୍ତି । ସରକାରଙ୍କ ପକ୍ଷରୁ ୨୦୧୧ ମସିହାରେ ବ୍ରହ୍ମାନନ୍ଦ ତ୍ରିପାଠୀ ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ପାଇଥିଲେ । କନିଷ୍ଠ କିରାଣୀ ଭାବେ ପ୍ରଥମେ ଧରାକୋଟ ତହିସଲ ପରେ ଖଲ୍ଲିକୋଟ ବ୍ଲକ, ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କନିଷ୍ଠ ସହକାରୀ ରାଜସ୍ୱ କରୁଥିବା ବେଳେ ସରକାରୀ କାର୍ଯ୍ୟ କ୍ଷେତ୍ରରେ ଘୋର ଅବହେଳା, ଦୀର୍ଘଦିନ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା ନିମନ୍ତେ ଦୁଇଥର ନିଳମ୍ବିତ ହୋଇଥିଲେ । ଏଥିସହ ତାଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ୪ ଥର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେହିପରି ବ୍ରହ୍ମାନନ୍ଦ ତ୍ରିପାଠୀଙ୍କ ବିରୋଧରେ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟରେ ୩୦୭/୨୦୧୬ରେ ଏକ ମାମଲା ବିଚରାଧୀନ ରହିଥିଲା । ୨୦୧୮ ମସିହା ଅକ୍ଟୋବର ୬ ତାରିଖରେ କୋର୍ଟରେ ଏହି ମାମଲାର ବିଚାର ହୋଇ ବ୍ରହ୍ମାନନ୍ଦ ତ୍ରିପାଠୀଙ୍କୁ ସଂପୂର୍ଣ୍ଣ ଦୋଷୀ ସାବ୍ୟସ୍ତ କରିଥିଲେ । ଦୁଇବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ଲକ୍ଷ ଜରିମାନା ଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ବର୍ଷ ଅକ୍ଟୋବର ମାସ ୧୩ ତାରିଖରେ ବ୍ରହ୍ମାନନ୍ଦଙ୍କୁ ନିଳମ୍ବିତ କରାଯାଇଥିଲା । ପ୍ରାୟ ୨ ରୁ ୩ ମାସ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ । ପରବର୍ତ୍ତୀ ସମୟରେ ଖଲ୍ଲିକୋଟ ତହସିଲରେ କିରାଣୀ ଭାବେ ଅବସ୍ଥାପିତ ହୋଇଥିଲେ । ପ୍ରଶାସନ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ହସ୍ତଗତ ହେବା ପରେ ଗତ ୪ ତାରିଖରେ ବ୍ରହ୍ମାନନ୍ଦଙ୍କୁ ସବୁଦିନ ପାଇଁ ଚାକିରିରୁ ବହିଷ୍‌ୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ