ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ: ପିସିସି ସଭାପତିଙ୍କୁ ହରାଇ ବିଜୟୀ ହେଲେ ପ୍ରଫୁଲ୍ଲ ସାମଲ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ, ନେତୃତ୍ୱ ଓ ଭୋଟରଙ୍କ ସବୁ କଳ୍ପନାର ଅନ୍ତଘଟିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮୭୪୫ ଖଣ୍ଡ ଭୋଟ ବ୍ୟବଧାନରେ ପ୍ରଫୁଲ୍ଲ ସାମଲ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି । ନାମାଙ୍କନ ପତ୍ର ଦାଖଲ ଠାରୁ ଏହି ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେବାର ଆଶା କରାଯାଇଥିଲା । ଏହି ଦୌଡରୁ ବିଜେପି ବାଦ ପଡିଥିବା ବେଳେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ମୁକାବୁଲା ହେବା ଲକ୍ଷ୍ୟ କରାଯାଇଥିଲା । ପିସିସି ସଭାପତି ଘଷିପୁରା ଓ ଭଣ୍ଡାରିପୋଖରୀ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇ ନିଜେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ । ଏପରିସ୍ଥଳେ ଏହି ବିଧାନସଭା କ୍ଷେତ୍ରରୁ ୩ୟ ଥର ପାଇଁ ନିର୍ବାଚନ ଲଢୁଥିବା ପ୍ରଫୁଲ୍ଲ ସାମଲ ନିଜର ଦକ୍ଷ ନିର୍ବାଚନୀ ପରିଚାଳନା ମାଧ୍ୟମରେ ପ୍ରତିଦ୍ୱନ୍ଦୀଙ୍କର ସମସ୍ତ ରଣନୀତିକୁ ଭଣ୍ଡୁର କରି ସଫଳତା ଅର୍ଜ୍ଜନ କରିଛନ୍ତି । ଗୋଟିଏ ପଟେ ସାଂସଦ ଅର୍ଜୁନ ସେଠୀଙ୍କ ବିଜେଡ଼ି ଦଳ ପରିତ୍ୟାଗ ଅନ୍ୟପଟେ ପିସିସି ସଭାପତିଙ୍କ ପ୍ରାର୍ôଥତ୍ୱ ବିଧାୟକ ଶ୍ରୀଯୁକ୍ତ ସାମଲଙ୍କୁ ଅଡ଼ୁଆପରିସ୍ଥିତି ସୃଷ୍ଟି କରିଥିଲା । ଅର୍ଜୁନ ସେଠୀଙ୍କ ଦଳତ୍ୟାଗ ପରେ କିଛି ପଂଚାୟତର ବିଜେଡ଼ି କର୍ମୀ ଶ୍ରଯୁକ୍ତ ସାମଲଙ୍କ ନେତୃତ୍ୱକୁ ଆଡ଼ ଦେଖା କରିଥିବା ବେଳେ କିଛି ମଧ୍ୟ ପ୍ରତ୍ୟେକ୍ଷ ନିର୍ବାଚନ ପ୍ରଚାରରେ ସାମିଲ ହୋଇନଥିଲେ । ଆହୁରି ମଧ୍ୟ ପିସିସି ସଭାପତି ପ୍ରାର୍ôଥ ହୋଇଥିବାରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିବା ବେଳେ ନିର୍ବାଚନି ପରିଚାଳନାରେ ବିଜେଡ଼ି ଠାରୁ ସେମାନେ କେଇପାଦ ଆଗକୁ ଯାଇଥିଲେ । ଏପରି ସ୍ଥଳେ ଶ୍ରୀଯୁକ୍ତ ସାମଲ ବୁଦ୍ଧି ଓ ଦକ୍ଷତାର ପରିଚୟ ଦେଇ ନିର୍ବାଚନି ପ୍ରଚାର ପାଖରୁ ଆରମ୍ଭ କରି ସଭା ସମିତି ଯାଏଁ ସଫଳତାର ସହିତ ଆୟୋଜନ କରିଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଧାୟକ ଭାବେ ଶ୍ରାଯୁକ୍ତ ସାମଲଙ୍କ ଦକ୍ଷ ନେତୃତ୍ୱକୁ ଭରଷା କରି ନିର୍ବାଚନ ମଣ୍ଡଳୀ ଜନ ସାଧାରଣ ମାନେ ତାଙ୍କୁ ପୁଣିଥରେ ନିର୍ବାଚିତ କରିଛନ୍ତି । ପ୍ରକାଶିତ ନିର୍ବାଚନୀ ଫଳ ଅନୁଯାୟୀ ପ୍ରଫୁଲ୍ଲ ସାମଲ ୬୮, ୮୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୬୦, ୧୩୨ ଭୋଟ ପାଇ ୨ୟ ସ୍ଥାନ ଓ ବିଜେପି ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳ ୩୮, ୨୩୪ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି । ଗତ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ସାମଲ ୭୦,୧୭୩, କଂଗ୍ରେସର ସୁବ୍ରତ ଦାସ ୩୬,୦୭୬ ଓ ବିଜେପିର ବଦ୍ରୀ ନାରାୟଣ ଧଳ ୨୮,୮୦୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଗତ ୨୦୦୯ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରଫୁଲ୍ଲ ସାମଲ ୬୦,୨୫୦, କଂଗ୍ରେସରୁ ବଦ୍ରୀ ନାରାୟଣ ଧଳ ୩୯,୮୪୦ ଓ ବିଜେପିରୁ ମନମୋହନ ସାମଲ ୨୧,୧୬୦ ଖଣ୍ଡ ଭୋଟ ପାଇଥିଲେ । ଗତ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ବିଜେଡିର ୧୨୯୬ ଖଣ୍ଡ ଭୋଟ କମ୍ ହୋଇଥିବା ବେଳେ କଂଗ୍ରେସର ୨୪,୦୫୬ ଓ ବିଜେପିର ୯୭୨୫ ଖଣ୍ଡ ଭୋଟ ବୃଦ୍ଧି ପାଇଥିବା ଦେଖାଯାଇଛି ।