କରୋନା ସଂକ୍ରମଣ ସଚେତନତା ସମ୍ପର୍କରେ ସମୀକ୍ଷା

ବାଲେଶ୍ୱର: ଆଜି ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନନ୍ତ ଦାସ, ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ମଦନମୋହନ ଦତ, ମାନ୍ୟବର ବସ୍ତା ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ, ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା, ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ବି. ଯୁଗଳ କିଶୋର, ମାନ୍ୟବର ନୀଳଗିରି ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଗଙ୍ଗାଧର ମିଶ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ବାନାର୍ଜୀ ପ୍ରସାଦ ଛୋଟରାୟ ଜିଲ୍ଲାରେ କରୋନା ସଂକ୍ରମଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ କରୋନା ଭୂତାଣୁ ସଂକ୍ରମଣ ବାବଦରେ ଜିଲ୍ଲାସ୍ତରରୁ ପଂଚାୟତ ସ୍ତର ପର୍ଯ୍ୟନ୍ତ କିଭଳି ସଚେତନ କରାଯାଉଛି, ବ୍ୟାନର, ଓ ପୋଷ୍ଟର ଇତ୍ୟାଦି କିଭଳି ଜନସାଧାରଣଙ୍କ ମଧ୍ୟରେ ବଂଟନ କରାଯାଉଛି ସେ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅବଗତ କରିଥିଲେ । ସେହିପରି ବିଦେଶରୁ ଓ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଅଲଗା ରଖିବା ନିମନ୍ତେ କିଭଳି ବ୍ୟବସ୍ଥା କରାଯାଇଛି, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତ୍ୱ ଏବଂ ସ୍ୱଚ୍ଛତା ବଜାୟ ରଖିବା ଉପରେ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ କିଭଳି ସଚେତନ କରାଯାଉଛି, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ କି ପଦକ୍ଷେପ ନିଆଯାଇଛି ତାହା ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ