ଗାଁର ଲୋକସଂଖ୍ୟା ୨୭, ଟାଇମ୍ ପାସ ପାଇଁ କରିଥାନ୍ତି ଏମିତି କାମ
(ଯୁଗାବ୍ଦ ନ୍ୟୁଜ ) , ବିଶ୍ୱରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏମିତି ଏକ ଗାଁ ରହିଛି ଯେଉଁଠି ମାତ୍ର ୨୭ ଜଣ ଲୋକ ରହୁଛନ୍ତି । ଭାରି ଏକା ଏକା ଲାଗେ ଏଠାକାର ଲୋକଙ୍କୁ । ଫଳରେ ଏହି ଏକୁଟିଆପଣ ଦୂରେଇବା ପାଇଁ ଖାସ୍ କରି ଗାଁର ଲୋକେ ଏମିତି ଏକ ତରିକା ଆପଣାଇଛନ୍ତି । ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗାଁ ଲୋକେ ଏକୁଟିଆ ରହୁଥିବା ଅନୁଭବ କରିବେ ନାହିଁ ବୋଲି ଘର ବାହାରେ ବିଭିନ୍ନ କଣ୍ଢେଇ ରଖିଛନ୍ତି । ଏମିତି ଏକ ଗାଁ ରହିଛି ଜାପାନରେ । ଯେଉଁଠି କିଛି ବର୍ଷ ଧରି ଲୋକସଂଖ୍ୟା କମିବାରେ ଲାଗିଛି । ଏଠାକାର ସହରଠାରୁ ଆରମ୍ଭ କରି ଗାଁରେ ଲୋକସଂଖ୍ୟା କମିକମି ଯାଉଛି । ଜାପାନର ସିକୋକୁ ଟାପୁ ଉପରେ ଥିବା ନାଗୋରା ଗାଁର ଲୋକସଂଖ୍ୟା ମାତ୍ର ୨୭ । ଲୋକସଂଖ୍ୟା ଏତେ କମ୍ ଥିବାରୁ ଏଠାରେ ପିଲା ନାହାନ୍ତି । ତେଣୁ ଶ୍ରେଣୀକକ୍ଷରେ ମଧ୍ୟ କଣ୍ଢେଇଗୁଡ଼ିକୁ ରଖିଥାନ୍ତି ଲୋକେ । ଏହି ଗାଁରେ ରହୁଥିବା ସୁକିମୀ ଆୟୋନ ନାମକ ଜଣେ ମହିଳା କୁହନ୍ତି, କମ୍ ଲୋକସଂଖ୍ୟା ଥିବାରୁ ଲୋକେ ୨୭୦ଟି କଣ୍ଢେଇ ରଖିଛନ୍ତି । ପ୍ରାୟ ୧୬ ବର୍ଷ ପୂର୍ବରୁ ଗାଁରେ କଣ୍ଢେଇ ତିଆରି କରିବା ଆରମ୍ଭ ହୋଇଥିଲା । ସୁକିମୀ ପ୍ରଥମେ କଣ୍ଢେଇ ତିଆରି କରିଥିଲେ । ପରେ ଅନ୍ୟମାନେ ତିଆରି କରିଥିଲେ । ଗ୍ରାମର ଲୋକେ ସହରକୁ ଚାଲିଗଲେ । ଫଳରେ ମାତ୍ର ୨୭ ଜଣ ରହିଲେ । ସେହିଦିନଠାରୁ ଏହି ଏକୁଟିଆପଣ ଦୂର କରିବାକୁ ଗ୍ରାମବାସୀ ଏମିତି କରିଆସୁଛନ୍ତି । ଖାଲି ସେତିକି ନୁହେଁ ଗାଁ ଭରପୂର ଦେଖାଯିବା ପାଇଁ କ୍ଷେତବାଡ଼ିରେ ମଧ୍ୟ କଣ୍ଢେଇସବୁ ରଖାଯାଇଛି ।


