ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନକୁ ଆଖି ଆଗରେ ରଖି ୨୧ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ଲକଡାଉନ କାଳରେ ପ୍ରବାସୀ କୃଷି ଶ୍ରମିକ, ଶିଳ୍ପ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର ଅନ୍ୟ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ସହିତ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ଗୃହ ସଚିବ ପତ୍ର ଲେଖିଛନ୍ତି । ସେହିପରି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଏହି ପରାମର୍ଶ ଦିଆଯାଇଛି ଯେ ସେମାନେ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ, କର୍ମଜୀବୀ ମହିଳା ଆଦି ଯେଉଁସ୍ଥାନରେ ରହିଛନ୍ତି ସେଠାରେ ରହିବା ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଏହି ପରାମର୍ଶ ଦିଆଯାଇଛି ଯେ ଅସଂଗଠିତ କ୍ଷେତ୍ରର ଶ୍ରମିକ, ବିଶେଷ କରି ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ କଷ୍ଟ ଲାଘବ କରିବା ଲାଗି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଅନ୍ୟ ସଂସ୍ଥା ସହଯୋଗରେ ସେମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ, ସ୍ୱଚ୍ଛତା ଭଳି ମୌଳିକ ସୁବିଧା ସହିତ ଖାଦ୍ୟ ଓ ଆଶ୍ରୟ ମଧ୍ୟ ପ୍ରଦାନ କରିବାର ଉପାୟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ କରନ୍ତୁ । ଏହାବ୍ୟତୀତ, ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ଦୃଢ଼ ପଦକ୍ଷେପ ଯେପରିକି ପିଡିଏସ ଜରିଆରେ ମାଗଣା ଖାଦ୍ୟ ଶସ୍ୟ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଲୋକମାନଙ୍କୁ ସଚେତନ କରାଇବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏହାସହିତ ବିତରଣ ପ୍ରଣାଳୀକୁ ସୁବ୍ୟବସ୍ଥିତ କରିବା ଲାଗି ପରାମର୍ଶ ଦିଆଯାଇଛି । ଯାହାଫଳରେ ଏସବୁ ଲୋକଙ୍କ ଅନାବଶ୍ୟକ ଯାତ୍ରା ବନ୍ଦ ହେବାରେ ସହାୟତା ମିଳିପାରିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି ଯେ ହୋଟେଲ, ଭଡ଼ାରେ ଦିଆଯାଇଥିବା କୋଠରୀ, ଛାତ୍ରାବାସ ଆଦିକୁ ନିରନ୍ତର କାର୍ଯ୍ୟକ୍ଷମ ରଖିବା ଏବଂ ଆବଶ୍ୟକ ସାମଗ୍ରୀ ଯୋଗାଣ ସୁବ୍ୟବସ୍ଥିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଯାହାଫଳରେ ଛାତ୍ରଛାତ୍ରୀ, କର୍ମଜୀବୀ ମହିଳା, ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ଆବଶ୍ୟକ ସାବଧାନତା ଅବଲମ୍ବନ କରି ସେମାନେ ବର୍ତମାନ ରହୁଥିବା କୋଠରୀ ଓ ଆବାସରେ ଆଗକୁ ମଧ୍ୟ ରହିପାରିବେ । ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଯୋଗାଣ ସୁନିଶ୍ଚିତ କରିବା ସହିତ ଲକ ଡାଉନକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି । ଏହାର ଉଲ୍ଳଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କୁହାଯାଇଛି । ଏହା କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ଅତ୍ୟନ୍ତ ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ