ଫୋନିର ୨୯ ଦିନ ପରେ ବି ଅନ୍ଧାରରେ ପୁରୀବାସୀ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଫୋନିକୁ ଇତି ମଧ୍ୟରେ ପୂରିଲାଣି ୨୯ ଦିନ । ହେଲେ ସମଗ୍ର ପୁରୀ ସହରକୁ ବିଦ୍ୟୁତ୍ ଯୋଗାଇବାରେ ବିଫଳ ହୋଇଛି ସେସୁ । ଫଳରେ ଯେତିକି ବିଳମ୍ବ ହେଉଛି ସେତିକି ଲୋକଙ୍କ ମନରେ କୁହୁଳୁଛି ଅସନ୍ତୋଷ । ତତ୍ସହିତ ସହରରେ ପ୍ରତ୍ୟେକ ଦିନ ବିଭିନ୍ନ ଛକରେ ରାସ୍ତରୋକ ହେବା ସହିତ ଗ୍ରିଡ୍କୋ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି । ଯାହା ଦ୍ୱାରା ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହାକୁ ଗୁରୁତର ଭାବରେ ଗ୍ରହଣ କରୁନାହାନ୍ତି ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀ । ଅନ୍ୟପକ୍ଷରେ ଭାରତ ମାନଚିତ୍ରରେ ପର୍ଯ୍ୟଟନ ସହର ଭାବରେ ପରିଚିତ ଶ୍ରୀକ୍ଷେତ୍ର । ସହରର ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବାରୁ ପର୍ଯ୍ୟଟକମାନେ ପୁରୀକୁ ଆସିବା ଆରମ୍ଭ କଲେଣି । ହେଲେ ସହରର ଅବସ୍ଥା ଦେଖି ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସଞ୍ଜ ନଈଲେ ଯେଉଁ ସହର ଆଲୋକରେ ଆଲୋକିତ ହେଉଥିଲା ସେହି ସହର ଏବେ ଖାଲି ଅନ୍ଧାର । ଏପରିକି ସନ୍ଧ୍ୟା ସମୟରେ ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସହିତ ବ୍ୟବସାୟୀଙ୍କ ସମାଗମ ହେଉଥିବାବେଳେ ବର୍ତ୍ତମାନ ବେଳାଭୂମି ଅନ୍ଧାର ହୋଇଥିବାରୁ ସେହି ଅଞ୍ଚଳ ଏବେ ଖାଁ ଖାଁ ଲାଗୁଛି । ସେହିପରି ବାତ୍ୟାରେ ବେଳାଭୂମିରେ ରହିଥିବା ସମସ୍ତ ହୋଟେଲ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲାବେଳେ ସେମାନେ ମୁଣ୍ଡ ଟେକି ଠିଆ ହୋଇନାହାନ୍ତି କି ସେମାନଙ୍କୁ ବିଜୁଳି ସଂଯୋଗ ଦିଆଯାଇନାହିଁ । ଯାହା ଫଳରେ ପର୍ଯ୍ୟଟକମାନେ ହୋଟଲରେ ରହିବାକୁ ପସନ୍ଦ କରୁନାହାନ୍ତି । ଯାହାକୁ ନେଇ ହୋଟଲ ମାଲିକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ହୋଟଲକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ଗତ ରଥଯାତ୍ରା ବୈଠକରେ ଦାବି କରିଥିଲେ ।
ସେସୁ ପକ୍ଷରୁ ସହରକୁ ସଂପୂର୍ଣ୍ଣ ଭାବରେ ଦୁଇ ଦିନ ଭିତରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଘୋଷଣା କରିଥିଲେ ସୁଧା ତାହା ସଫଳ ହୋଇନାହିଁ । ଅନ୍ୟପକ୍ଷରେ ସହରର ବସ୍ତି ଓ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ସଞ୍ଜ ନଈଲେ ସେମାନଙ୍କ ମୁଣ୍ଡରେ ଚଡକ ପଡୁଛି । କାରଣ ଦିନ ସାରା ସେମାନ ଘରଦ୍ୱାର ମରାମତି କାର୍ଯ୍ୟରେ ଲିପ୍ତ ରହିଥିଲା ବେଳେ ସଞ୍ଜ ନଈଲେ ସେମାନେ ଶାନ୍ତିରେ ଟିକେ ବିଶ୍ରାମ ନେବାକୁ ଚେଷ୍ଟା କରୁଥିଲେ ସୁଧା ସେମାନଙ୍କ ପାଇଁ କାଳ ସାଜୁଛି ଅନ୍ଧାର ଓ ମଶା । ଫଳରେ ସେମାନେ ରାତିରେ ବିଶ୍ରାମ ନେବେ କଣ ସେହିପରି ଖୋଲାରେ ରାସ୍ତା ଉପରେ ବା ପିଣ୍ଡି ଉପରେ ବିଶ୍ରାମ ନେଉଛନ୍ତି । ହେଲେ ସେମାନଙ୍କୁ ଦୁଃଖ କେହି ବୁଝିବାକୁ ନାହାନ୍ତି । ସେହିପରି ଅଞ୍ଚଳକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ନାଁ ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟ ଜଳ ମିଳୁଛି । ଏନେଇ ଜଣେ ସ୍ଥାନୀୟ ବାସିନ୍ଦା ପିଣ୍ଟୁ ସାହୁ କୁହନ୍ତି, ପୁରୀ ସହରରେ ଦୀର୍ଘ ୩୦ ବର୍ଷ ରହିଥିଲା ବେଳେ କେବେ ସେ ଏପରି ବାତ୍ୟା ଦେଖିନଥିଲେ । ମାତ୍ର ଚଳିତ ବର୍ଷ ବାତ୍ୟା ତାଙ୍କର ସଂସାରକୁ ଉଜାଡି ଦେଇଛି । ଏପରିକି ଛୋଟ ଛୁଆକୁ ନେଇ ରହିବା ପାଇଁ ସ୍ଥାନ ନାହିଁ । ହେଲେ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ପଲିଥିନ୍ ଯୋଗାଇ ଚୁପ୍ ବସି ରହିଛନ୍ତି । ଘଟଣାସ୍ଥଳକୁ କୌଣସି ପଦାଧିକାରୀ ପହଞ୍ଚୁଛନ୍ତି ନା ସହଯୋଗର ହାତ ବଢାଉଛନ୍ତି । କେବଳ ଭଗବାନକୁ ସାହା କରି ଏଠାରେ ପଡି ରହୁଛି । ବାତ୍ୟାର ୨୯ ଦିନ ଆମ୍ଭକୁ ଏକ ଯୁଗ ବୋଲି ଲାଗୁଛି । ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ ଉକ୍ତ ଅଞ୍ଚଳକୁ ଶୀଘ୍ର ବିଦ୍ୟୁତ୍ ଯୋଗାଇବାରେ ସକ୍ଷମ ହୋଇନାହାନ୍ତି । ଯାହା ଫଳରେ ସଞ୍ଜ ନଈଲେ ମଶାଙ୍କ ଉତ୍ପାତ ବୁଦ୍ଧି ପାଇବାରେ ଲାଗିଛି । ମାତ୍ର ମଶାଙ୍କ ବୁଦ୍ଧିକୁ ନେଇ ବାରମ୍ବାର ପୌରପାଳିକା ନିକଟରେ ଅଭିଯୋଗ କଲେ ସୁଧା ଉକ୍ତ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ମଶା ତେଲ ସ୍ପ୍ରେ ହେଲା ନାହିଁ । ଏଠାରେ କେବଳ ବଡ ବଡିଆ ଲୋକ ଓ ବରିଷ୍ଠ ଅଧିକାରୀଙ୍କ ସେବାରେ ଲାଗିଛନ୍ତି ଅଧିକାରୀ । ହେଲେ ବାସ୍ତବରେ ବସ୍ତି ଓ ତଳିଆ ଅଞ୍ଚଳରେ ଲୋକ କିପରି ରହୁଛନ୍ତି ତାହା ଦେଖିବାକୁ କେହି ନାହାନ୍ତି । ସହରର ଚିତ୍ର ଏଭଳି ରହିଥିଲା ବେଳେ ଜିଲ୍ଲାର ଗ୍ରାମାଞ୍ଚଳର ଲୋକମାନେ ବିଦ୍ୟୁତ୍ ନଥିବାରୁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ