କମ୍ ବୟସରେ ବିବାହ କରିବାକୁ ପସନ୍ଦ କରନ୍ତି ଯୁବତୀ
କେତେକ ଯୁବତୀ କମ୍ ବୟସରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ଏହି ସମୟରେ ବିଭିନ୍ନ ସେକ୍ସ୍ ହରମୋନ୍ର କ୍ଷରଣ ଯୋଗୁ ଜୀବନସାଥୀଙ୍କ ମଧ୍ୟରେ ଅଧିକ ଆବେଗପୂର୍ଣ୍ଣ ଭାବାବେଗ ରହିଥାଏ । ଫଳରେ ଦାମ୍ପତ୍ୟ ଜୀବନରେ ଆସିଥାଏ ସୁଖଶାନ୍ତି । ଅଧିକ ବୟସରେ ବିବାହ କରୁଥିବା କେତେକ ଯୁବତୀଙ୍କ କ୍ଷେତ୍ରରେ ଛାଡ଼ପତ୍ର ହୋଇଥାଏ । କାରଣ ବୟସ ବଢ଼ିବା ସହିତ ଦାମ୍ପତ୍ୟ ଜୀବନରେ ଆଡଜଷ୍ଟ କରିବା ସେମାନଙ୍କ ପାଇଁ ଅସହଜ ହୋଇଥାଏ । ଅନ୍ୟପକ୍ଷରେ ସେକ୍ସ୍ ହରମାନ୍ କ୍ଷରଣରେ ମଧ୍ୟ ଦେଖାଦେଇଥାଏ ଅନିୟମିତତା । ତେଣୁ ମନରେ ସୃଷ୍ଟି ହୋଇଥାଏ ବିଷାଦ ଭାବନା । ଏହାଯୋଗୁ ଉପୁଜିଥାଏ ଦାମ୍ପତ୍ୟ ଜୀବନରେ ନାନା ସମସ୍ୟା । ଆମେରିକାର ଓହିଓ ଷ୍ଟେଟ୍ ୟୁନିଭର୍ସିଟିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ଯୁବତୀମାନେ କେଉଁ ବୟସରେ ବିବାହ କରିବାକୁ ଚାହିଁଥାନ୍ତି ସେଥିନେଇ ଗବେଷକ ୨୦ଟି ରାଷ୍ଟ୍ରର ୧୦ ହଜାର ଯୁବତୀଙ୍କୁ ଏହି ଗବେଷଣାରେ ସାମିଲ୍ କରିଥିଲେ । ୭୪ ପ୍ରତିଶତ ଯୁବତୀ ୨୦ରୁ ୨୫ ବର୍ଷ ବୟସରେ ବିବାହ କରିବା ସପକ୍ଷରେ ମତ ଦେଇଥିଲେ । ସେମାନେ କହିଥିଲେ ଯେ, ଜଣେ ଯୁବତୀ କମ୍ ବୟସରେ ବିବାହ କଲେ ତାଙ୍କର ପିଲାମାନେ ମଧ୍ୟ କମ୍ ବୟସରେ ବିବାହ କରିଥାନ୍ତି । ସେହିପରି କମ୍ ବୟସରେ ବିବାହ କରୁଥିବା ଯୁବତୀମାନଙ୍କ ବୈବାହିକ ଜୀବନ ଭଲରେ କଟିଥାଏ ବୋଲି ଅନେକ ଯୁବତୀ ମତଦେଇଥିଲେ । ତେବେ କମ୍ ବୟସରେ ବିବାହ କଲେ ସ୍ତ୍ରୀ-ସ୍ୱାମୀଙ୍କ ମଧ୍ୟରେ ଅନେକ କ୍ଷେତ୍ରରେ ଏକ ସମନ୍ୱୟ ଭାବ ଦେଖାଦେଇଥାଏ । ଏହାର ପ୍ରଭାବ ସେମାନଙ୍କର ପିଲାମାନଙ୍କ ଉପରେ ପଡ଼ିଥାଏ ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ।


