୬ ମାସରେ ୪.୮୮ ଲକ୍ଷ କୋଟି ଋଣ କରିବ କେନ୍ଦ୍ର
ନୂଆଦିଲ୍ଲୀ: କରୋନା ଭୂତାଣୁର ପ୍ରକୋପରେ ଅର୍ଥନୀତିକ ଅବସ୍ଥା ଶୋଚନୀୟ । ଏଭଳି ପରିସ୍ଥିତିରେ ଆସନ୍ତା ୬ ମାସରେ ସରକାର ୪.୮୮ ଲକ୍ଷ କୋଟି ଟଙ୍କାର ଋଣ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦ ଆର୍ଥିକ ବର୍ଷରେ ବଜେଟ୍ କହିଥିଲେ ଯେ ଏହି ଆର୍ଥିକ ବର୍ଷରେ ବଜାରରୁ ୭.୮ ଲକ୍ଷ କୋଟି ଟଙ୍କାର ଋଣ ନିଆଯାଇପାରେ । ତେବେ ଏହାର ପାଖାପାଖି ୬୦% ଆର୍ଥିକ ବଷର ପ୍ରଥମ ୬ ମାସରେ ନିଆଯାଇପାରେ ବୋଲି ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ସରକାର ନିଜ ରାଜକୋଷୀୟ କ୍ଷତିକୁ ଭରଣା କରିବା ପାଇଁ ବଜାରରୁ ପୁଞ୍ଜି ଉଠାଇଥଶନ୍ତି । ଏହା ବଦଳରେ ମିଆଦୀ ବଣ୍ଡ ତଥା ଟ୍ରେଜେରି ବିଲ୍ ଜାରି କରାଯାଇଥାଏ । ଏହା ଦେଶରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୫% । କରୋନା ଭାଇରସ ପ୍ରକୋପରେ ଦେଶର ଆର୍ଥନୈତିକ ଅବସ୍ଥାଅତ୍ୟନ୍ତ ଖରାପ ହେବ ନେଇ ଆଶଙ୍କା କରାଯାଇଛି । ବିଭିନ୍ନ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ୨୦୨୦-୨୧ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ବହୁ ମାତ୍ରାରେ ଖସାଇ ସାରିଲେଣି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନାର ପ୍ରସାର ରୋକିବାକୁ କରାଯାଇଥିବା ଲକଡାଉନ ଯୋଗୁଁ ଭାରତୀୟ ଅର୍ଥନୀତିକୁ ପ୍ରାୟ ୧୨୦୦ କୋଟି ଡଲାର (ପାଖାପାଖି ୯ ଲକ୍ଷ କୋଟି ଟଙ୍କା) ର କ୍ଷତି ସହିବାକୁ ପଡ଼ିପାରେ । ଏହି କ୍ଷତି ଦେଶର ମୋଟ ଘରୋଇ ଉତ୍ପାଦର ପ୍ରାୟ୨ ୪% । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଲୋକେ ଘରେ ବନ୍ଦ ଅଛନ୍ତି । ଉତ୍ପାଦନ, ବିକ୍ରି ଏବଂ ଚାହିଦା ସବୁକିଛି ଠପ୍ । ବିନିର୍ମାଣ କାର୍ଯ୍ୟକଳାପ ବନ୍ଦ ପଡ଼ିଛି । ନିର୍ମାଣ ଠାରୁ ଆରମ୍ଭ କରି ଅଟୋ ଶିଳ୍ପ ପର୍ଯ୍ୟନ୍ତ ସମସ୍ତେ ଏହି ସଂକଟଜନକ ସ୍ଥିତିରେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି । ଲକଡାଉନ ଅବଧି ଶେଷ ହେବା ପରେ ପରିସ୍ଥିତି କଣ ରହିବ ତାକୁ ନେଇ ଆକଳନ କରିବା କଷ୍ଟକର । ଏଭଳି କ୍ଷେତ୍ରରେ ଅର୍ଥନୈତିକ ସ୍ଥିତି ଯେ କ’ଣ ହେବ ତାହା ଜଣାପଡ଼ୁନାହିଁ । ସରକାର ବର୍ତ୍ତମାନ ସ୍ଥିତିକୁ ସୁଧାରିବା ପାଇଁ ପ୍ୟାକେଜ ଦେଉଛନ୍ତି । ଏହା ସରକାରଙ୍କ ରାଜକୋଷରୁ ଚାପଗ୍ରସ୍ତ କରିବାକୁ ଯାଉଛି । ପୂର୍ବରୁ ହିଁ ସରକାର ରାଜସ୍ୱ ସଂକଟ ଦେଇ ଗତି କରୁଛନ୍ତି । ଏଭଳି କ୍ଷେତ୍ରରେ କରୋନା ବୋଝ ଉପରେ ନଳିତାବିଡ଼ା ସଦୃଶ ହେଉଛି ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।


