ଆସୁଛି ରଜ, ଜମୁଛି ପ୍ଳାଷ୍ଟିକ ଦୋଳି ବେପାର
ହିଂଜିଳିକାଟୁ, (ଶେଷଦେବ ସାହୁ): ସମାଜରେ ବଂଚି ରହିବା ପାଇଁ ସାଧାରଣତଃ କିଛିନା କିଛି କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୈନନ୍ଦିନ ଜୀବନରେ ପେଟ ପାଇଁ ନାଟ ଭଳି ସମସ୍ତ ବୟସ୍କ ମନୁଷ୍ୟ କିଛି ନା କିଛି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ସାଧାରଣ ଜନତାଙ୍କୁ ବିଭିନ୍ନ କାର୍ଯ୍ୟରେ ଉପଯୁକ୍ତ ପାରିଶ୍ରମିକ ମିଳୁନଥିଲେ ମଧ୍ୟ ପୂର୍ବ ପୁରୁ: ଅମଳରୁ ଚାଲି ଆସୁଥିବା କାର୍ଯ୍ୟକୁ ବହୁ ବ୍ୟକ୍ତି ବଂଚାଇ ରଖିଛନ୍ତି । ହିଂଜିଳିକାଟୁ ଅଂଚଳକୁ ବର୍ଷ ତମାମ ବିଭିନ୍ନ ସମୟରେ ରାଜ୍ୟ ବାହାରର ବହୁ ବ୍ୟବସାୟୀ ଆସି ବିଭିନ୍ନ କିସମର ସାମଗଜ୍ରୀ ବିକ୍ରି କରିଥାନ୍ତି । ରାଜ୍ୟ ବାହାରର ବ୍ୟବସାୟୀ ମାନେ ନିଜ ନିଜ ପରିବାର ବର୍ଗଙ୍କ ସହ ହିଂଜିଳିକାଟୁ ଅଂଚଳର ବିଭିନ୍ନ ସାହି ବସ୍ତି ସମେତ ଖୋଲା ଆକାଶ ତଳେ ରାସ୍ତା ପ୍ୱାଶ୍ୱର୍ ଜମି ଗୁଡ଼ିକରେ ତମ୍ବୁ ଟାଣି ରାତିରେ ନିଜ ନିଜର ପିଲା ଛୁଆଙ୍କୁ ଧରି ଆଶ୍ରୟ ନେଇଥାନ୍ତି । ଦିନରେ ବିଭିନ୍ନ ସାହି ବସ୍ତିରେ ଘୁରି ଘୁରି ବୁଲି ବିକ୍ରି କରିଥାନ୍ତି । କିଛି ଦିନ ବ୍ୟବସାୟ କରିବା ପରେ ପୁଣି ସେହି ସ୍ଥାନ ଛାଡ଼ି ଅନ୍ୟ ଏକ ଗ୍ରାମକୁ ବେପାର କରିବାକୁ ଚାଲି ଯାଇଥାନ୍ତି । ଏଭଳି କେତେକ ପରିବାର ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟ ସିକାକୁଲମ ଅଂଚଳରୁ ଆସି ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମାଂଚଳ ସମେତ ହିଂଜିଳିକାଟୁ ପୌରାଂଚଳ ନିକଟବର୍ତି ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ପସରା ମେଲାଇ ପ୍ଳାଷ୍ଟିକ ଦୋଳି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି ।
ଆଉ ମାତ୍ର କିଛି ଦିନ ପରେ ରଜପର୍ବ ଆରମ୍ଭ ହେବାକୁ ଯାଉଛି । ରଜକୁ ଆଖି ଆଗରେ ରଖି ଏହି ଉଠା ବ୍ୟବସାୟୀ ମାନେ ହିଂଜିଳିକାଟୁ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ପ୍ଳାଷ୍ଟିକ ବା ନାଇଲନ ଦୋଳି ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ରଜ ପାଇଁ ହିଂଜିଳିକାଟୁ ସହରବାସୀ ବର୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରଜ ପର୍ବର ମୁଖ୍ୟ ଆକର୍ଷଣ ହୋଇଛି ଦୋଳି । ଆଧୁନିକତାର ଛାପରେ ଅଧିକାଂଶ ଅଂଚଳରେ ସେହି ପାରମ୍ପରିକ ଦୋଳି ହଜିଯାଇଛି । ତଥାପି ଲେକେ ପରମ୍ପରକା ବଂଚାଇ ରଖିବା ପାଇଁ ରଜ ପର୍ବରେ ଦୋଳି ଖେଳିଥାନ୍ତି । ଏବେ ହିଂଜିଳିକାଟୁ ଅଂଚଳରେ ପ୍ଳାଷ୍ଟିକ ଦୋଳି ବେପାର ଦେଖିବାକୁ ମିଳୁଛି । ସକାଳୁ ସନ୍ଧ୍ୟା ଯାଏଁ ବେପାରୀ ମାନେ ତାଙ୍କ ବେପାର ବଣିଜ କରିବା ପରେ ସନ୍ଧ୍ୟାରେ ଅସ୍ଥାୟୀ ତମ୍ବୁ ଟଣା ଘରକୁ ଫେରିଥାନ୍ତି । ପୁର୍ନବାର ପରଦିନ ସକାଳେ ନିଜର ପସରା ମେଲାଇଥାନ୍ତି । ରଜ ପାଇଁ ଏହି ଉଠାବେପାରୀ ମାନେ ବିଭିନ୍ନ ରଙ୍ଗର ପ୍ଳାଷ୍ଟିକ ବା ନାଇଲନର ଦୋଳି ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ପୁର୍ବରୁ ଏହି ପ୍ଳାଷ୍ଟିକ ଦୋଳି ଗୁଡ଼ିକ ବହୁ ପରିମାଣରେ ବିକ୍ରି ହେୁଥିବା ବେଳେ ଚଳିତ ବର୍ଷ ବେପାର ଜମି ନଥିବା କହିଛନ୍ତି ବ୍ୟବସାୟୀ ଜଣକ । ତେବେ ରଜ ଆହୁରି କିଛି ଦିନ ବାକି ଥିବା ବେଳେ ଆଗକୁ ବେପାର ହେବା ନେଇ ଆଶା ରଖିଛନ୍ତି ।


