ଦୁଇ ଲକ୍ଷ ମାସ୍କ ହଡ଼ପ କରିନେଲା ଆମେରିକା

ବର୍ଲିନ (ଜର୍ମାନୀ): କୋଭିଡ-୧୯ ସଂକ୍ରମଣ ଦାଉରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରାଥମିକ ଅମୋଘ ଉପକରଣ ଭାବେ ସମ୍ପ୍ରତି ସର୍ଜିକାଲ ମାସ୍କର ଚାହିଦା ହିଁ ସର୍ବାଧିକ ରହିଛି । କରୋନାର କରାଳ କାୟାକୁ ଆତ କରିବା ପାଇଁ ବର୍ତ୍ତମାନ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ ଏବଂ ସାଧାରଣ ଜନତା ହିଁ ମୁହଁରେ ନିୟମିତ ମାସ୍କ ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତି । ଫଳସ୍ୱରୂପ ବିଶ୍ୱବ୍ୟାପୀ ଏହି ମାସ୍କର ଅହେତୁକ ଅଭାବ ପରିଲକ୍ଷିତ ହେଉଛି । ଖୁବ କମ ସମୟ ମଧ୍ୟରେ ବିଭିନ୍ନ ଦେଶରେ ଆବଶ୍ୟକତା ଅନୁଯାୟୀ ମାସ୍କ ପ୍ରସ୍ତୁତି ହୋଇପାରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଏପରିକି ଆମେରିକା ପରି ଅତ୍ୟୁନ୍ନତ ରାଷ୍ଟ୍ର ମଧ୍ୟ ଦେଶବାସୀଙ୍କ ମାସ୍କ ଚାହିଦା ପୂରଣ କରିବାରେ ବ୍ୟର୍ଥ ହୋଇଛି । ତେବେ ନିଜର ସ୍ୱାର୍ଥ ପାଇଁ ଆମେରିକାର ସଦସ୍ୟ ସଂଘଟିତ ଏକ କୁତ୍ସିତ ବ୍ୟବସାୟିକ କାରନାମା ଟ୍ରମ୍ପ ପ୍ରଶାସନକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି । ଜର୍ମାନ ପୁଲିସ ପାଇଁ ଆସୁଥିବା ଚୀନ କମ୍ପାନୀ ପ୍ରସ୍ତୁତ ୨ ଲକ୍ଷ ପାଖାପାଖି ମାସ୍କକୁ ଆମେରିକା କୁଟିଳ ପ୍ରକ୍ରିୟାରେ ଥାଇଲାଣ୍ଡରୁ ହଡ଼ପ କରିନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଥାଉ କି ଆମେରିକୀୟ ବିତରଣ କମ୍ପାନୀ ୩ ଏମ ପାଇଁ ଚୀନ ଏକ ମାସ୍କ ପ୍ରସ୍ତୁତକାରୀ ସଂସ୍ଥା ଉକ୍ରୃଷ୍ଟ ଧରଣର ଏନ୯୫ ବ୍ରାଣ୍ଡ ମାସ୍କ ତିଆରି କରୁଛି । ଜର୍ମାନ ସରକାର ଦେଶର ପୁଲିସ କର୍ମୀଙ୍କ ପାଇଁ ୨ ଲକ୍ଷ ସଂଖ୍ୟକ ଏହି ଧରଣର ମାସ୍କ ବରାଦ କରିଥିଲା । ଏପରିକି ଔପଚାରିକ ଟେଣ୍ଡର ପ୍ରକ୍ରିୟା ପରେ ଆବଶ୍ୟକ ମାସ୍କ ମଧ୍ୟ ବିମାନରେ ଆସୁଥିଲା । ମାତ୍ର ଥାଇଲାଣ୍ଡରେ ତାହା ବୋଝେଇ ବେଳେ ଜର୍ମାନୀ ଯିବାପରିବର୍ତ୍ତେ ଆମେରିକା ପଳାଇ ଯାଇଚି । ଏ ସମ୍ପର୍କରେ ସମ୍ପୃକ୍ତ ବିତରଣ ସଂସ୍ଥା ଜର୍ମାନ କର୍ତ୍ତୃପକ୍ଷ ଯୋଗାଯୋଗ କରିବାରୁ ସେମାନଙ୍କ ପାଖରେ ଜର୍ମାନୀର ବରାଦ କାଏମ ରହିନାହିଁ ବୋଲି ସଫେଇ ଦେଇଛି । ଅପରପକ୍ଷେ, ଜର୍ମାନୀ ପକ୍ଷରୁ ଆହ୍ୱାନ କରାଯାଇଥିବା ଧାର୍ଯ୍ୟ ଦରର ପ୍ରାୟ ତିନି ଗୁଣା ଦର ବଢ଼ାଇ ଆମେରିକା ଉକ୍ତ ଟେଣ୍ଡରକୁ ହାତେଇ ନେଇଥିବା ଜଣାପଡ଼ିଛି । ଏପରିକି ଆମେରିକାର ଏହି ଦରରେ ଅନ୍ୟ କୌଣସି ଦେଶ ବି ଉକ୍ତ ମାସ୍କ ଆମଦାନୀ କରିପାରିବନି ବୋଲି ଚର୍ଚ୍ଚା ହେଉଛି । ଏହା ଦ୍ୱାରା ଆମେରିକା ଅନ୍ତର୍ଜାତୀୟ ବ୍ୟବସାୟିକ ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ଜର୍ମାନୀ ଅଭିଯୋଗ ଆଣିବା ସହ ଆମେରିକାର ଏହା ଏକ ଅଭିନବ ଦସ୍ୟୁଗିରି ବୋଲି ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ