ଆଦିବାସୀ-ଅଣ ଆଦିବାସୀ ବିବାଦକୁ ଏଡାଇବା ପାଇଁ କାଜୁ ତୋଟାରେ ଲାଲ ପତକା ଓ ୧୪୪ ଧାରା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର କାଶୀନଗର ଥାନା ଅଞ୍ଚଳରେ ୧୦୫ ଏକର ବିଶିଷ୍ଟ ଏକ କାଜୁ ତୋଟାକୁ ନେଇ ପ୍ରତ୍ୟେକ ବର୍ଷ କାଜୁ ଅମଳ ସମୟରେ ଆଦିବାସୀ-ଅଣ ଆଦିବାସୀ ମଧ୍ୟରେ ବିଭିନ୍ନ ବିବାଦ ଦେଖା ଦେଉଛି । ଏହାକୁ ରୋକିବା ପାଇଁ ପ୍ରଶାସନ ଓ ପୋଲିସ ଆଗୁଆ ପଦକ୍ଷେପ ନେଇ ଏହି କାଜୁ ତୋଟା ଅଞ୍ଚଳରେ ୧୪୪ ଧାରା ଜାରି କରିବା ସହ ଲାଲ ପତକା ଗଛଗୁଡିକରେ ବାନ୍ଧି ଯେ କୌଣସି ବ୍ୟକ୍ତି ତୋଟା ମଧ୍ୟକୁ ପ୍ରବେଶ କରିବା ନିଷେଧ କରାଯାଇଛି । ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ତହସିଲଦାର ଶାନ୍ତି ସ୍ୱରୁପ ମିଶ୍ର,କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପୋଲିସ ଦଳ ସହ ସମ୍ପୃକ୍ତ ୧୦୫ ଏକର ବିଶିଷ୍ଟ କାଜୁ ତୋଟା ଅଞ୍ଚଳରେ ଲାଲ ପତକା ସହ ୧୪୪ ଧାରା ଜାରି କରିଛନ୍ତି । ଏଠାକୁ କୌଣସି ବ୍ୟକ୍ତି ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସୁଚନା ଦିଆଯାଇଛି । ଏହି ତୋଟା ପ୍ରତି ପୋଲିସ ସ୍ୱତନ୍ତ୍ର ଭାବେ ସଜାଗ ରହିଥିବା ମଧ୍ୟ କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି ।


