ସାମାଜିକ ଦୂରତ୍ୱ ରଖିବାରେ ଅସମର୍ଥ ହେଲେ ଦୋକାନ ମାଲିକଙ୍କ ବିରୁଦ୍ଧରେ ରୁଜୁ ହେବ ଏଫ.ଆଇ.ଆର
ବାଲେଶ୍ୱର (ଓ୍ବାଇଏନ୍ଏସ୍) : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଓ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସମ୍ପ୍ରତି ଲକଡାଉନ ଲାଗୁ କରାଯିବା ସହିତ ସାମାଜିକ ଦୂରତ୍ୱ କଟକଣାକୁ କଡାକଡି କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ପାଇଁ ଏହି କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲେ ହେଁ କିଣାବିକା ସମୟରେ ଆବଶ୍ୟକୀୟ ସାମାଜିକ ଦୂରତା ବଜାୟ ରଖିବାକୁ ଶକ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନେକ ସମୟରେ ଏଥିରେ ବ୍ୟତିକ୍ରମ ସହ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ତରଫରୁ ସାମାଜିକ ଦୂରତ୍ୱ ପାଇଁ ଜାରି ହୋଇଥିବା ଗାଇଡଲାଇନର କଡାକଡି ଅନୁପାଳନ ପାଇଁ ଆଦେଶନାମା ଜାରି କରାଯାଇଛି । ଓଡିଶା କୋଭିଡ ରେଗୁଲେସନ, ୨୦୨୦ ଅନୁଯାୟୀ ଜିଲ୍ଲାପାଳ ତଥା କ୍ଷମତାପ୍ରାପ୍ତ ଅଧିକାରୀ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଏହି ଆଦେଶ ପ୍ରଦାନ କରିଛନ୍ତି । ଗ୍ରୋସରୀ, ପନିପରିବା, କ୍ଷୀର, ଔଷଧ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ କ୍ରୟ ବିକ୍ରୟ ସମୟରେ ଦୋକାନ ବାହାରେ ଓ ଭିତରେ ଗ୍ରାହକମାନଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ବଜାୟ ରହେ ତାହା ସୁନିଶ୍ଚିତ କରିବେ । ଏହା ସମ୍ପୂର୍ଣ୍ଣ ଭାବେ ଦୋକାନୀମାନଙ୍କ ଦାୟିତ୍ୱ ବୋଲି ସ୍ପଷ୍ଟ କରାଯାଇଛି । ଦୋକାନ ମାଲିକ ଓ ବ୍ୟବସାୟୀମାନେ ଦୋକାନ ବାହାରେ ସ୍ଥାୟୀ ଗୋଲାକାର ଓ ବର୍ଗାକାର କ୍ଷେତ୍ର ଚିହ୍ନିତ କରିବା ସହିତ ସେଗୁଡିକ ମଧ୍ୟରେ ଯେପରି ୨ ମିଟର ବ୍ୟବଧାନ ରହେ ସେଥିଲାଗି ବ୍ୟବସ୍ଥା କରିବେ ଏବଂ ଗ୍ରାହକମାନେ ଯେପରି ଧାଡିରେ ଆସନ୍ତି ସେ ଦିଗରେ ପଦକ୍ଷେପ ନେବେ । ଏହି ଆଦେଶର ଅବମାନନା କଲେ ସ୍ଥାନୀୟ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ / ପୌରାଂଚଳ ନିର୍ବାହୀ ଅଧିକାରୀ / ଏନଫୋର୍ସମେଂଟ ଟିମ ଅଥବା ପୋଲିସ ଦ୍ୱାରା ଉକ୍ତ ଦୋକାନକୁ ବନ୍ଦ/ସିଲ କରିଦିଆଯିବ । ଦୋକାନ ବନ୍ଦ/ସିଲ କରାଯିବା ପରେ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବା ସହିତ ଖିଲାପକାରୀ ଦୋକାନ ମାଲିକଙ୍କ ବିରୁଦ୍ଧରେ ଏଫ.ଆଇ.ଆର ରୁଜୁ କରାଯାଇ ତାଙ୍କ ବିରୁଦ୍ଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ । ଏଣୁ ଏଥି ପ୍ରତି ସତର୍କ ରହିବାକୁ ଏବଂ ଆଇନର ଉଲ୍ଲଙ୍ଘନ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।