ଅମାନିଆଙ୍କ ୧୨ଟି ବାଇକକୁ ଜବଦ କଲା ପୁଲିସ
ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରି ଘରେ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ କିଛି ଲୋକ ଏହାକୁ ଭ୍ରୁକ୍ଷେପ ନକରି ବାଇକଧରି ବଜାର ଘାଟରେ ଚକର କାଟୁଛନ୍ତି । ପୁଲିସ ବାରମ୍ବାର ସଚେତନ କରି ଘରେ ରହିବାକୁ ସଚେତନ କରାଉଥିଲେ ମଧ୍ୟ କିଛି ଅମାନିଆ ଏହାକୁ ଭ୍ରୁକ୍ଷେପ ନକରି ରାସ୍ତାଘାଟରେ ବାଇକ ଧରି ବୁଲୁଥିବାବେଳେ ଗତକାଲି ସନ୍ଧ୍ୟାରେ ସୋସୋ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉକରି ୧୨ଟି ବାଇକ ଜବଦ କରିଛି । ସେହିପରି ଗତ ଦୁଇଦିନ ତଳେ ନନ୍ଦିପଦା ପୁଲିସ ମରୈଗାଁ, ଛେନାପଦି ଅଞ୍ଚଳରୁ ୩୩ଟି ବାଇକ ଜବଦ କରିଥିଲା । ପୁଲିସ ଏହି ଗାଡି ଜବଦ ପରେ ଅମାନିଆ ଚାଳକମାନେ ଟିକେ ସାବାଡ ହୋଇଥିଲେବି ଆଉ କିଛି ଲୁଚି ଛପି ବାଇକ ଧରି ବୁଲୁଥିବା ଦେଖିବାକୁ ମିଳିଛି ।