ବରିଷ୍ଠ ପୋଲିସ ଅଧିକାରୀଙ୍କ ସାଇକେଲରେ ସହର ପରିଦର୍ଶନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୋଲିସର ବରିଷ୍ଠ ଅଧିକାରୀମାନେ ବୁଧବାର ସକାଳେ ସାଇକେଲ ଯୋଗେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ଓ କୋଭିଡ -୧୯ ଆଇନ ପାଳନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ସାଇକେଲ ଯୋଗେ ପୁରୁଣା ବସଷ୍ଟାଣ୍ଡରୁ ବାହାରି ବଡହାଟ, କାକଟଛକ, ନୂଆବସଷ୍ଟାଣ୍ଡ, ମହିପାଳ ଦେଇ ତିନିମୁହାଣିଛକରେ ପହଁଚିଥିଲେ । ରାସ୍ତାର ପ୍ରତ୍ୟେକ ଛକସ୍ଥାନ ଗୁଡିକରେ ଉଭୟ ଅଧିକାରୀ ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରାଇବା ସହ ବାହାରକୁ ଆସିବା ବେଳେ ମାସ୍କ ପିନ୍ଧିବା ଓ ନିତ୍ୟାନ୍ତ ଆବଶ୍ୟକ ନହେଲେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସେମାନେ ତିନିମୁହାଣି ଛକରୁ ଫେରି କାକଟଲକ, ମୀରପାଟଣା ଦେଇ ନସଡିପୁର,ସାନ୍ତସାହି ଛକ,କେଶପୁର ବଜାର,ସାନମଙ୍ଗଳା ଦେଇ ଇଛାପୁର ରଥଦାଣ୍ଡରେ ପହଁଚି ସେଠାରେ ଲୋକମାନଙ୍କୁ ସଚେତନ କରିବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମଧ୍ୟ ସାଇକେଲରେ ଯାଉଥିବାର ଦେଖିବାକୁ ମିଳିଥିଲା ।