ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଫ୍ଲାଗମାର୍ଚ୍ଚ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ସଂକ୍ରମଣକୁ ରାଜ୍ୟ ସରକାର ବିପତି ଘୋଷଣା କରିବା ପରେ ଏହାର ମୁକାବିଲା ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ନିୟନ୍ତ୍ରଣ ଜନିତ ପଦକ୍ଷେପ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଜାରୀ କରିଥିବା ନିୟମାବଳୀକୁ ପାଳନ କରିବା ସହିତ ଲୋକଙ୍କୁ ସଚେତନ କରିବା ସକାଶେ ଅହରହ ଉଦ୍ୟମ ଜାରି ରଖିଛନ୍ତି । ସ୍ଥାନୀୟ ସହରରେ ଗତ ୧୬ ତାରିଖ ଠାରୁ ସହରର ସମସ୍ତ ହୋଟେଲ, ମଲ, ଗ୍ୟାରେଜ୍‌, ଫାଷ୍ଟଫୁଡ଼, କୋଚିଂ ସେଂଟର, ଶକ୍ତିପୀଠ, ଯାତ୍ରା, ଚୈତ୍ରପର୍ବ, ଭୋଜିଭାତକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୨ ତାରିଖରେ ଭାରତବର୍ଷକୁ ଜନତାକର୍ଫ୍ୟୁ ଘୋଷଣା କରିବା ପରେ ୨୩ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଥିବା ବେଳେ ଚଳିତ ମାସ ୫ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଂଶିକ ଶଡଟଡ଼ାଉନ (୧୯ ଘଂଟା ସକାଶେ ) ଘୋଷଣା କରାଯାଇଛି । ସକାଳ ୭ଟାରୁ ମଧ୍ୟାନ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିବା ସକାଶେ ଘରୁ ବାହାରକୁ ବାହାରିବାକୁ ଅନୁମତି ଦିଆଯାିଛି । କିନ୍ତୁ ସ୍ଥାନୀୟ ପୌରାଂଚଳ ସମେତ ନିିକଟବର୍ତି ଗ୍ରାମାଂଚଳର କିଛି ଅମାନିଆ ଏହି ମହାମାରୀର ଗୁରୁତ୍ୱକୁ ହେୟଜ୍ଞାନ କରି ନିୟମକୁ କୋଲାଖୋଲି ଉଲଂଘନ କରି ସହର ସାରା ଚକ୍କର କାଟିବା ସହ ବିଭିନ୍ନସାହି ବସ୍ତିରେ ଜୁଆ ଓ କ୍ରିକେଟ ଖେଳୁଥିବାର ନଜିର ରହିଛି । ବିନା କାରଣରେ ବାହାରକୁ ଆସିଥିବା ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରିବା ସହ ବାଇକ ଗୁଡ଼ିକ ଜବତ କରି ଆସୁଥିଲେ ମଧ୍ୟ କିଛି ଅମାନିଆ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି । ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଅଂଚଳର ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଫ୍ଲାଗମାର୍ଚ୍ଚ ବୁଧବାର ସନ୍ଧ୍ୟାରେ ଆରମ୍ଭ କରାଯାଇଛି । ସ୍ଥାନୀୟ ପ୍ରଶାସପନିକ ଅଧିକାରୀ ମାନେ ୧୦ଟି ବୋଲେର ଗାଡ଼ିରେ ସାଇରନ ବଜାଇ ସ୍ଥାନୀୟ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକ ଓ ଥାନାର ସମସ୍ତ ଗ୍ରାମାଂଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଆୟୋଜିତ ଫ୍ଲାଗମାର୍ଚ୍ଚରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସମେତ ବହୁ ପୁଲିସ ଅଧିକାରୀ, ରାଜସ୍ୱ, ତହସିଲ ଓ ପୌର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ପ୍ରଶସନିକ ଅଧିକାରୀଙ୍କ ମିଳିତ ଫ୍ଲାଗମାର୍ଚ୍ଚ ଯୋଗୁଁ ସନ୍ଧ୍ୟାରେ ସ୍ଥାନୀୟ ପୌରାଂଚଳ ସମେତ ଗ୍ରାମାଂଚଳ ଗୁଡ଼ିକ ଜନଶୂନ୍ୟ ହୋଇ ପଡ଼ିବା ସହ ଭୟରେ ଲୋକେ ଘରୁ ବାହାରକୁ ବାହାରିନଥିଲେ । ରାସ୍ତାରେ ଚକ୍କର କାଟୁଥିବା କିଛି ଅମାନିଆ ଯୁବକ ଫ୍ଲାଗମାର୍ଚ୍ଚ ଭୟରେ ନିଜ ନିଜ ଘରକୁ ଦୌଡ଼ି ପଳାଇ ଯାଉଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ