ସୁନ୍ଦର ପିଚାଇଙ୍କୁ ଗ୍ଲୋବାଲ ଲିଡର୍ସିପ୍ ଆୱାର୍ଡ
ନୂଆଦିଲ୍ଲୀ, (ଏଜେନ୍ସି): ଗୁଗଲ୍ର ସିଇଓ ସୁନ୍ଦର ପିଚାଇ ଓ ନ୍ୟାସ୍ଡ଼ାକ୍ ପ୍ରେସିଡେଣ୍ଟ ଏଡ଼ିନା ଫ୍ରିଡ଼ମ୍ୟାନ୍ଙ୍କୁ ଜଣା ଶୁଣା ଗ୍ଲୋବାଲ୍ ଲିଡ଼ର୍ସିପ୍ ଆୱାର୍ଡ଼ ୨୦୧୯ପାଇଁ ଚୟନ କରାଯାଇଛି । ପିଚାଇ ଜଣେ ପ୍ରବାସୀ ଭାରତୀୟ ଅଟନ୍ତି । ଟେକ୍ନୋଲୋଜି ଉପରେ ଆଧାରିତ ପ୍ରମୁଖ ପ୍ଲାଟ୍ଫର୍ମ ଭାବେ ଉଭୟ କମ୍ପାନୀଗୁଡ଼ିକର ଯୋଗଦାନକୁ ଦୃଷ୍ଟିରେ ରଖି ପିଚାଇ ଓ ଫ୍ରୀଡ଼୍ମ୍ୟାନ୍କୁ ଆସନ୍ତା ସପ୍ତାହରେ ହେବାକୁ ଥିବା ଇଣ୍ଡିଆ ଆଇଡ଼ିଆ ସମିଟ୍ରେ ଏହି ଆୱାର୍ଡ଼ ପ୍ରଦାନ କରାଯିବ । ବିଜ୍ନେସ୍ ଆଡ଼ଭୋକେସି ଗ୍ରୁପ୍ ଆମେରିକା-ଭାରତ ବ୍ୟବସାୟିକ ପରିଷଦ (ୟୁଏସ୍ଆଇବିସି)କୁ ଚୟନ କରାଯାଇଛି । ୟୁଏସ୍ଆଇବିସି, ୨୦୦୭ ଠାରୁ ପ୍ରତି ବର୍ଷ ଗ୍ଲୋବାଲ୍ ଲିଡ଼ରସିପ୍ ଆୱାର୍ଡ଼ ପ୍ରଦାନ କରିଆସୁଛି । ଏହି ଆୱାର୍ଡ଼ ଆମେରିକା ଓ ଭାରତର ସେହି ପ୍ରମୁଖ ଏକ୍ଜିକ୍ୟୁଟିଭ୍ସ୍କୁ ଦିଆଯାଇଥାଏ, ଯେଉଁମାନଙ୍କର କମ୍ପାନୀଗୁଡ଼ିକ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ବିକାସକୁ ବୃଦ୍ଧି କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସୁନ୍ଦର ପିଚାଇ ୨୦୦୪ରେ ଗୁଗଲ୍ରେ ଯୋଗ ଦେଇଥିଲେ । ୨୦୧୫ରେ ସେ ଏହାର ସିଇଓ ଭାବେ ନିଯୁକ୍ତି ପାଇଥିଲେ । ୟୁଏସ୍ଆଇବିସି ଅନୁସାରେ ଗୁଗଲ୍ ଓ ନ୍ୟାସ୍ଡେକ ପରି ଅଗ୍ରଣୀ କମ୍ପାନୀଗୁଡ଼ିକ କାରଣରୁ ଦ୍ରବ୍ୟ ଏବଂ ସେବାର ଦ୍ୱିପକ୍ଷୀୟ ବ୍ୟବସାୟ ଗତ ୫ବର୍ଷ ମଧ୍ୟରେ ପାଖାପାଖି୧୫୦% ବୃଦ୍ଧି ପାଇଛି । ୨୦୧୮ରେ ଏହା ୧୪୨.୧ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି ।