ଭିଡିଓକନ୍ ମାମଲା ୧ଠରେ ଉପସ୍ଥିତ ହେବାକୁ ଚନ୍ଦା କୋଚର୍ଙ୍କୁ ନୋଟିସ୍
ନୂଆଦିଲ୍ଲୀ, (ଏଜେନ୍ସି): ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚର୍ଙ୍କୁ ଚଳିତ ଜୁନ୍ ୧୦ରେ ଇଡ଼ି ସମ୍ମୁ୍ଖରେ ଉପସ୍ଥିତ ହେବାକୁ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଶୁକ୍ରବାର ୧୮୭୫କୋଟି ଟଙ୍କାର ଭିଡ଼ିଓକନ୍ ଋଣ ମାମଲାରେ ଜାରି ହୋଇଛି । ଇଡ଼ିର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଆଇଏଏନ୍ଏସ୍ ପକ୍ଷରୁ କୁହାଯାଇଛି ଯେ କୋଚର୍ଙ୍କୁ ଏଜେନ୍ସିର ଦିଲ୍ଲୀ ସ୍ଥିତ ଜାମନଗର କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ କୁହାଯାଇଛି । ଆର୍ଥିକ ଯାଞ୍ଚ୍ ଏଜେନ୍ସି ପକ୍ଷରୁ କୋଚର୍ଙ୍କୁ ଗତ ମାସରେ ୫ଥର ପଚରାଉଚରା କରାଯାଇଛି । ଏହି ମାମଲା ଆଇସିଆଇସିଆଇ ବ୍ୟାଙ୍କ୍ ଦ୍ୱାରା ୨୦୦୯ ଓ ୨୦୧୧ ମଧ୍ୟରେ ଭିଡ଼ିଓକନ୍ ସମୂହକୁ ୧୮୭୫କୋଟି ଟଙ୍କାର ଋଣ ଦେବାରେ କଥିତ ଅନିୟମିତତା କରିଥିବା ଓ ଭ୍ରଷ୍ଟ ଆଚରଣ ସହିତ ସମ୍ପୃକ୍ତ । ଇଡ଼ିର ଅଭିଯୋଗ ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କ୍ର ପ୍ରମୁଖ ହେବା ଯୋଗୁ ଚନ୍ଦା କୋଚର୍ ନିଜ ସ୍ୱାମୀଙ୍କ ଦ୍ୱାରା ସଂଚାଳିତ ନ୍ୟୁପାୱାର ରିନେବେଲ୍ସ ଲିମିଟେଡ଼୍କୁ ଅବୈଧ ଭାବେ କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି ।


