ଅର୍ଥନୀତି ସୁଧାରିବା ପାଇଁ ଦରକାର ୧୦ ଲକ୍ଷ କୋଟି
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରେ ସରକାର ଦେଶର ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଏବଂ ଲକଡାଉନ ପାଇଁ ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଅଟୋମୋବାଇଲ, ରିଅଲିଟି କ୍ଷେତ୍ର ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ତେବେ ଏହି ୩ଟି କ୍ଷେତ୍ରରେ ସୁଧୁରିବା ପାଇଁ ୧୨ରୁ ୨୪ ମାସ ସମୟ ଲାଗିଯିବ ବୋଲି ଶିଳ୍ପ ସଂଘ ଫିକି ପକ୍ଷରୁ ଆକଳନ କରାଯାଇଛି ।
ସେହିଭଳି ପରିବହନ, ପର୍ଯ୍ୟଟନ, ଲଜିଷ୍ଟିକ, ଆମୋଦପ୍ରମୋଦ ଏବଂ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ମଧ୍ୟ ଏହା ଦ୍ୱାରା ଗଭୀର ମାତ୍ରାରେ କ୍ଷତି ସହିଛି । ଏଗୁଡ଼ିକରେ ସୁଧାର ଆସିବା ଲାଗି ମଧ୍ୟ ସେହି ୧୨ ରୁ ୨୪ ମାସ ସମୟ ଲାଗିଯିବ ବୋଲି ଫିକି ଏହାର ଏକ ରିପୋର୍ଟରେ କହିଛି ।
‘କୋଭିଡ-୧୯ ଇଣ୍ଡିଆ: ଇକୋନୋମିକ ଇମ୍ପାକ୍ଟ ଆଣ୍ଡ ଆମ୍ପ;ମିଟିଗେସନ’ ଶୀର୍ଷକ ଅନୁଧ୍ୟାନରେ ଫିକି ଏହା ମଧ୍ୟ କହିଛି ଖର୍ଚ୍ଚ ବୃଦ୍ଧି ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ବ୍ୟବସାୟୀ କିଭଳି ନିଜେ ତିଷ୍ଠି ରହୁଛି ତାହା ଉପରେ ସୁଧାରର ଅବଧି ନିର୍ଭର କରୁଛି । ତେବେ ପୋଷାକ, ବିୟୁଟି ଉତ୍ପାଦନ, ମୃଦୁ ପାନୀୟ, ମଦ, ବୀମା, କୃଷି, ରସାୟନ, ଧାତବ ଏବଂ ଖଣି ସେବା ଶିଳ୍ପ, ଅଫଲାଇନ ରିଟେଲ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆସିବା ଲାଗି ୯ ରୁ ୧୨ ମାସର ସମୟ ଲାଗି । ଫିକି ରିପୋର୍ଟରେ ଏହା ବି କୁହାଯାଇଛି, ଅର୍ଥନୀତିକୁ ତୁରନ୍ତ ୯ ରୁ ୧୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଆବଶ୍ୟକ । ଦେଶର ମୋଟ ଘରୋଇ ଉତ୍ପାଦନ (ଜିଡିପି) ର ଏହା ପ୍ରାୟ ୪ ରୁ ୫ ପ୍ରତିଶତ ହେବା ଆବଶ୍ୟକ । ଅନ୍ୟାନ୍ୟ ଦେଶ ମଧ୍ୟ ଏଭଳି ପଦକ୍ଷେପନେଇଛନ୍ତି । ଭାରତରେ ଋଣ ଓ ଜିଡିପି ଅନୁପାତ ଭଲ ରହିଛି ବୋଲି ଏଥିରେ କୁହାଯାଇଛି । ସରକାର ପ୍ୟାକେଜ ଆକାରରେ ଯେଉଁ ଅର୍ଥ ଦେବେ ତାହା ଅର୍ଥନୀତିର ସବୁ କ୍ଷେତ୍ରକୁ ଯିବା ଆବଶ୍ୟକ । ସମାଜର ତଳସ୍ତରରେ ଥିବା ଲୋକଙ୍କ ଠାରୁ ଆରମ୍ଭ କରି ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ବଡ଼ ବଡ଼ କମ୍ପାନୀ ଗୁଡ଼ିକୁ ମଧ୍ୟ ପ୍ୟାକେଜ ମିଳିବା ଉଚିତ । ସରକାରଙ୍କ ପକ୍ଷରୁ ୨ ଲକ୍ଷ କୋଟି ଟଙ୍କାର ଏକ ‘ଭାରତ ସେଲଫ ସଫିସିଏନ୍ସି ଫଣ୍ଡ’ ବା ଭାରତ ଆତ୍ମ ନିର୍ଭରଶୀଳ ପାଣ୍ଠି ଗଠନ କରିବାକୁ ଫିକି ପ୍ରସ୍ତାବ ଦେଇଛି ।
ଅନ୍ୟ ପକ୍ଷରେ ଏବେ ଖାଦ୍ୟର ଖୁଚୁରା ବିକି୍ର ସମେତ ଟେଲିଯୋଗାଯୋଗ, ଉପଯୋଗିତା ସେବା ଏବଂ ଫାର୍ମାସ୍ୟୁଟିକାଲ୍ସର ବିକ୍ରିରେ ଯେଉଁ ଅତ୍ୟଧିକ ବୃଦ୍ଧି ଦେଖାଦେଇଛି ତାହା ଆସନ୍ତା ୬ ରୁ ୯ ମାସ ମଧ୍ୟରେ ସ୍ୱାଭାବିକ ହୋଇଯିବ । ପୁନଶ୍ଚ ଅନଲାଇନ ସ୍ୱାସ୍ଥ୍ୟସେବା, ପର୍ସନାଲ କେୟାର, ଅନଲାଇନ ଏଣ୍ଟରଟେନମେଣ୍ଟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟବସାୟରେ ବର୍ତ୍ତମାନ ବୃଦ୍ଧି ଦେଖାଦେଇଛି । ଦୀର୍ଘମିଆଦୀରେ ଏସବୁର ଉଚ୍ଚ ଅଭିବୃଦ୍ଧି ଜାରି ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।


