ଆଲିଗଡ଼ ଲଜ୍ଜା ବାଲୁକାକଳାରେ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କଲେ ସୁଦର୍ଶନ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଉତ୍ତରପ୍ରଦେଶର ଆଲିଗଡରେ ଜଣେ ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଅଭିଯୁକ୍ତ ଜାହିଦ ଓ ଅସଲମ୍ଙ୍କୁ ତୁରନ୍ତ ଦଣ୍ଡିତ କରାଯାଉ ବୋଲି ଦେଶବ୍ୟାପୀ ପ୍ରତିବାଦର ସ୍ୱର ଉଠୁଛି । ଏହି କ୍ରମରେ ଶନିବାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଘଟଣାକୁ ଘୃଣ୍ୟ ତଥା ଅମାନବୀୟ କହିବା ସହ ଶିଶୁକନ୍ୟାଙ୍କ ଲାଗି ନ୍ୟାୟ ଭିକ୍ଷା କରିଛନ୍ତି ।
ସୂଚନାଥାଉକି, ଆଲିଗଡ଼ଠାରୁ ୫୦ କିମି ତପ୍ପାଲ ସହରରେ ଅଢେଇ ବର୍ଷୀୟ ଶିଶୁକନ୍ୟା ନିଖୋଜ ହୋଇଥିଲେ । ଏହାର ଦୁଇଦିନ ପରେ ଏକ ଅଳିଆ ଗଦାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତନାଘନା ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୁଲିସ ପଚରାଉଚରା କରିବା ପରେ ସେମାନେ ମାତ୍ର ଦଶ ହଜାର ଟଙ୍କାକୁ ନେଇ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଅପହରଣ ପରେ ସେମାନେ ଶିଶୁକନ୍ୟାଙ୍କ ଆଖି ଦୁଇଟିକୁ ନଷ୍ଟ କରିବାସହ ହାତଗୋଡ ଭାଙ୍ଗି ଦେଇଥିଲେ । ଏଥିସହ ତାଙ୍କୁ ହତ୍ୟା କରିବା ପୂର୍ବରୁ ବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଖବର ପ୍ରଚାରିତ ହେବା ପରେ କେବଳ ଆଲିଗଡ ନୁହେଁ ବରଂ ଦେଶବ୍ୟାପୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।