ଟ୍ରେନ୍ରେ ମିଳିବ ମସାଜ ସେବା
ନୂଆଦିଲ୍ଲୀ(ଏଜେନ୍ସି): ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆରାମ ଯୋଗାଇ ଦେବା ସକାଶେ ଭାରତୀୟ ରେଳବାଇ ପ୍ରଥମଥର ପାଇଁ ମସାଜ୍ (ଘଷାମୋଡା) ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ରେଳ ଇତିହାସରେ ଏଭଳି ସେବା ପ୍ରଥମ । ଅବଶ୍ୟ ଏହି ସେବା ଦେୟମୁକ୍ତ ନୁହେଁ । ମସାଜ ସେବା ଉପଲବ୍ଧ କରିବା ସକାଶେ ଯାତ୍ରୀଙ୍କୁ ୧୦୦ଟଙ୍କା ପୈଠ କରିବାକୁ ପଡିବ । ଏହି ସୁବିଧା ପ୍ରଥମ ପର୍ଯ୍ୟାୟରେ ଇନ୍ଦୋରରୁ ଯାତ୍ରା ଆରମ୍ଭ ୩୯ଟି ଏକ୍ସପ୍ରେସ୍ ଟ୍ରେନ୍ରେ ଉପଲବ୍ଧ ହେବ । ଏହି ଟ୍ରେନ୍ଗୁଡିକ ମଧ୍ୟରେ ରହିଛି ଡେରାଡୁନ୍-ଇନ୍ଦୋର ଏକ୍ସପ୍ରେସ୍, ନୂଆଦିଲ୍ଲୀ-ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ଇନ୍ଦୋର-ଅମୃତସର୍ ଏକ୍ସପ୍ରେସ୍ ।
ରେଳବାଇର ଜଣେ ଅଧିକାରୀ ଶନିବାର ଦେଇଥିବା ସୂଚନା ମୁତାବକ, ଭାରତର ରେଳବାଇ ଇତିହାସରେ ପ୍ରଥମ ପାଇଁ ଯାତ୍ରୀମାନଙ୍କୁ ଚଳନ୍ତା ଟ୍ରେନ୍ରେ ମସାଜିଙ୍ଗ୍ ସେବା ଯୋଗାଇ ଦିଆଯିବ । ଏହା କେବଳ ରେଳବାଇର ଅଣ ଟିକଟ ରାଜସ୍ୱ ବୃଦ୍ଧି କରିବ ନାହିଁ, ବରଂ ପାସେଞ୍ଜରଙ୍କୁ ମଧ୍ୟ ଆକୃଷ୍ଟ କରିବ । ଏକ୍ଷେତ୍ରରେ ରେଳବାଇ ବାର୍ଷିକ ଅତିରିକ୍ତ ୨୦ଲକ୍ଷ ଟଙ୍କା ରାଜସ୍ୱ ପାଇବ । ଏନେଇ ପ୍ରଥମଥର ସକାଶେ ଏଭଳି ଏକ ଚୁକ୍ତି ହୋଇଛି । ରେଲୱେ ବୋର୍ଡର ମିଡିଆ ଆଣ୍ଡ୍ କମ୍ୟୁନିକେସନ୍ ଡାଇରେକ୍ଟର ରାଜେଶ ବାଜପାୟୀ ଏହି ସୂଚନା ଦେଇଛନ୍ତି । ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଏହି ସେବା ଯୋଗାଇ ଦିଆଯିବ । ଟ୍ରେନ୍ରେ ଏହି ସେବା ସକାଳ ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ମିଳିବ । ମୁଣ୍ଡ ଘଷିଦେବା ଓ ଗୋଡ ଘଷା ମୋଡା କରିବା ସକାଶେ ଯାତ୍ରୀଙ୍କୁ ୧୦୦ଟଙ୍କା ଦେବାକୁ ପଡିବ । ପ୍ରତି ଟ୍ରେନ୍ରେ ୩ରୁ ୫ଜଣ ମସାଜ ସେବା ପ୍ରଦାନକାରୀ ରହିବେ । ରେଳବାଇ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରିବେ । ଏଭଳି ସେବା ଯୋଗାଇବା ସହ ନୂଆକିଛି ସେବା ଯୋଗାଇଦେବା ସକାଶେ ଯଦି କୌଣସି ରେଳଜୋନ୍ ବା ଡିଭିଜନ୍ ପକ୍ଷରୁ ପ୍ରସ୍ତାବ ଥାଏ ତେବେ ସେମାନେ ରେଳବାଇ ବୋର୍ଡକୁ ଜଣାଇ ପାରିବେ । ଯାହାଫଳରେ ଉକ୍ତ ସେବା ଯେଗାଇ ରେଳବାଇ ଅଣ-ଭଡ଼ା ରାଜସ୍ୱ ସୃଷ୍ଟି କରାଯାଇ ପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି