କରୋନା ପାଇଁ ଚାଇନା ଓ ଆମେରିକା ଦାୟୀ

ସିଙ୍ଗାପୁର: ମହାମାରୀ କୋଭିଡ-୧୯ର ଉତ୍ପତ୍ତି ସ୍ଥଳକୁ କେନ୍ଦ୍ର କରି ଆମେରିକା ଓ ଚୀନ ମଧ୍ୟରେ ସମ୍ପ୍ରତି ବାଦବିବାଦ ଲାଗି ରହିଥିବା ବେଳେ ଏହି ଘାତକ ଭୂତାଣୁର ଗବେଷଣା ସମ୍ପର୍କରେ ମିଳିଥିବା ଏକ ସଦ୍ୟ ରିପୋର୍ଟ ଚୀନର ମୁଖା ଖୋଲି ଦେଇଛି । ଏଥି ସହିତ ଆମେରିକାର କାରନାମାକୁ ମଧ୍ୟ ନାପସନ୍ଦ କରାଯାଇଛି । କେନ୍ଦ୍ରୀୟ ଚୀନର ହୁବେଇ ପ୍ରଦେଶର ରାଜଧାନୀ ଉହାନ ସ୍ଥିତ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନରୁ ହିଁ ଏହି ମହାମାରୀ ପ୍ରଥମେ ବ୍ୟାପିଛି ବୋଲି ବିଶ୍ୱ ସମୁଦାୟର ଅନୁମାନ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କରୋନା ଭୂତାଣୁର ଆବିର୍ଭାବ ସ୍ଥଳ ଭାବେ ବିଚାର କରାଯାଉଥିବା ଏକ ଗୁମ୍ଫାରେ ରହିଥିବା ବାଦୁଡ଼ିମାନଙ୍କ ଉପରେ ଚୀନ ଭୂତାଣୁ ଗବେଷକମାନେ ପରୀକ୍ଷା ନୀରିକ୍ଷା ଚଳାଇ ଆସୁଥିବା ଜଣାପଡ଼ିବା ପରେ ଏଭଳି ଧାରଣା ସୃଷ୍ଟି ହୋଇଛି । ଆମେରିକା ଅନୁଦାନରେ ଏହି ଗବେଷଣା ଚାଲିଥିବା ଜଣାପଡ଼ିଛି ।
‘ଦି ଡେଲି ମେଲ’ ରେ ରବିବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଉହାନ ସହର ଠାରୁ ୧୦୦୦ ମାଇଲ ଦୂର ଦକ୍ଷିଣ ପଶ୍ଚିମ ଚୀନର ୟୁନାନ ପ୍ରଦେଶରୁ ସଂଗୃହୀତ ବାଦୁଡ଼ିମାନଙ୍କ ଉପରେ ହିଁ ଉହାନ ସ୍ଥିତ ଏକ ବିଜ୍ଞାନ ଗାରରେ ଗବେଷଣା ଜାରି ରହିଥିଲା । ଏଥିପାଇଁ ଗବେଷକମାନଙ୍କୁ ଆମେରିକା ସରକାର ୩୭ ଲକ୍ଷ ଆମେରିକୀୟ ଡଲାର ଆର୍ଥିକ ପ୍ରୋତ୍ସହାନ ରାଶି ଯୋଗାଇ ଦେଇଥିଲେ । ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଏକ ପ୍ରକଳ୍ପ ସ୍ୱରୂପ ଏହି ଗବେଷଣା ଚାଲୁ ରହିଥିଲା । ଉକ୍ତ ଗବେଷଣା ଆଧାରରେ କୋଭିଡ-୧୯ ର ଅସ୍ଥିତ୍ୱ ୟୁନାନ ଗୁମ୍ଫାରୁ ସଂଗୃହୀତ ବାଦୁଡ଼ିଙ୍କ ଠାରେ ଗବେଷକମାନେ ଦେଖିବାକୁ ପାଇଥିଲେ ବୋଲି କୁହାଯାଇଛି । ଏ ସଂକ୍ରାନ୍ତ ସବିଶେଷ ବିବରଣୀ ୨୦୧୭ ନଭେମ୍ବରରେ ପ୍ରକାଶ ପାଇଥିଲା । ସୁତରାଂ ଉହାନ ମାଂସ ବଜାରରୁ ହିଁ କୋଭିଡ-୧୯ ପ୍ରଥମେ ମନୁଷ୍ୟ ଶରୀରରେ ସଂକ୍ରମଣ ଆରମ୍ଭ କରିଥିଲା ବୋଲି ପ୍ରଥମରୁ ପ୍ରଦତ୍ତ ଧାରଣା ଏବେ ସନ୍ଦେହ ସୃଷ୍ଟି କରିଛି । କାରଣ ଗତ ସପ୍ତାହରେ ଉହାନ ଜିନିତାନ ହସ୍ପିଟାଲ ଜନୈକ ଡାକ୍ତରଙ୍କ କହିବା ଅନୁସାରେ କରୋନା ଆକ୍ରାନ୍ତ ପ୍ରଥମେ ୪୧ ଜଣଙ୍କ ମଧ୍ୟରୁ ୧୩ ଜଣ ଉକ୍ତ ମାଂସ ବଜାର ସଂସ୍ପର୍ଶରେ ଆଦୌ ଆସିନଥିଲେ । ତେଣୁ ଉକ୍ତ ମାଂସ ବଜାର ଯେ ଏକମାତ୍ର କୋଭିଡ-୧୯ ଉତ୍ପତ୍ତି ସ୍ଥଳ ସେମିତି କିଛି ମାନେ ନାହିଁ ବୋଲି ସେ ମତ ଦେଇଛନ୍ତି । ଅପରପକ୍ଷେ, ଉହାନ ସ୍ଥିତ ପରୀକ୍ଷାଗାରରେ ଯେ ଅସତର୍କବଶତଃ କୌଣସି ଦୁର୍ଘଟଣା କାରଣରୁ ଏହି ଭୂତାଣୁ ବ୍ୟାପକତା ଲୋକଲୋଚନକୁ ଆସିଥିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ବ୍ରିଟେନ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ଏହି ଅସମାର୍ଥିତ ସୂତ୍ରର ଦାବି ମୁତାବକ ଉହାନ ସ୍ଥିତ ଏହି ଭୂତାଣୁ ଗବେଷଣା କେନ୍ଦ୍ରର କିଛି ଗବେଷକଙ୍କୁ ହିଁ ପ୍ରଥମେ କୋଭିଡ-୧୯ ସଂକ୍ରମିତ ହୋଇଥିଲା । ସେମାନେ ଉକ୍ତ ଭୂତାଣୁ ସମ୍ବଳିତ ରକ୍ତ କଣିକାକୁ ପରିଚାଳନା କରୁଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ତାହା ସେମାନଙ୍କ ଠାରେ ପ୍ରଥମେ ପ୍ରବେଶ କରିଥିଲା । ପରେ ପରେ ଉକ୍ତ ଗବେଷମାନଙ୍କ ସଂସ୍ପର୍ଶରେ ଆସିଥିବା ସ୍ଥାନୀୟ ଲୋକଙ୍କଠାରେ କୋଭିଡ-୧୯ ର ସଂକ୍ରମଣ ବ୍ୟାପିଥିଲା । ଜୀବଜନ୍ତୁଙ୍କ ଠାରେ ପରୀକ୍ଷା ନୀରିକ୍ଷା ସରିବା ପରେ ଗବେଷଣାଗାରର କର୍ତ୍ତୃପକ୍ଷ ସଂକ୍ରମିତ ଜୀବଜନ୍ତୁଙ୍କୁ ଉକ୍ତ ବଜାରକୁ ମାଂସ ବିକି୍ର ଉଦେ୍ଧଶ୍ୟରେ ଯୋଗାଉଥିବା କିଛି ବିଚିତ୍ର ନୁହେଁ ବୋଲି ଆମେରିକା ହ୍ୱାଇଟ କୋଟ ୱେଷ୍ଟ ସଂସ୍ଥାର ଅଧ୍ୟକ୍ଷ ଆକ୍ସୋନି ବେଲ୍ଟି ଆଶଙ୍କା ବ୍ୟକ୍ତ କରିଛନ୍ତି । ସେହିପରି ଆମେରିକା ଏପରି ଚୀନରେ ଅର୍ଥ ଖଟାଇ ପଶୁମାନଙ୍କ ଉପରେ ବୀଭତ୍ସ ଗବେଷଣା ଜାରି ରଖିବା ପ୍ରକ୍ରିୟାକୁ ମଧ୍ୟ ଅନେକ ସଚେତନ ନାଗରିକ ନାପସନ୍ଦ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ