ମଣିଷ ମୁଖ୍ୟମନ୍ତ୍ରୀ : ନବକୃଷ୍ଣ ଚୌଧୁରୀ
ମାୟାଧର ନାୟକ
ଓଡ଼ିଶାପରି ଅନ୍ଧକୂପରେ ନବବାବୁଙ୍କ ଦରିଆଦିଲ୍କୁ କିଏ ବୁଝିବ? କିଏ ବୁଝିବ ଯେ କାହିଁକି ଗାନ୍ଧି ତାଙ୍କୁ କୋଳେଇ ନେଉଥିଲେ, ନେହରୁ ତାଙ୍କ ବ୍ୟକ୍ତିଗତ ଶୟନକକ୍ଷର ଦ୍ୱାର ମଧ୍ୟ ତାଙ୍କ ପାଇଁ ଯେକୌଣସି ମୁହୂର୍ତ୍ତରେ ଖୋଲା ରଖୁଥିଲେ? ହଁ, ସେ ଥିଲେ ସେହିଭଳି ସେଦିନର ମହାନ୍ ନେତୃପୁରୁଷମାନଙ୍କର ପରମ ବିଶ୍ୱାସଭାଜନ ଆଉଜଣେ ମହାନ୍ ଜନନାୟକ । ତାଙ୍କୁ କ୍ଷମତାର ପଶାପାଲିରେ ଗୋଟିଚାଳନା କରିବାର କୂଟକୌଶଳ ଜଣା ନଥିଲା । ତାଙ୍କ ସମକାଳୀନ ବହୁ ଓସ୍ତାଦ୍ ରିଙ୍ଗ୍ମାଷ୍ଟର୍ଙ୍କ ପରି ସେ ରାଜନୀତିକୁ ସର୍କସ୍ ସୋ’ବାଜି କରି ମଞ୍ଚ ମଣ୍ଡନ କରିବାକୁ ଚାହୁନଥିଲେ । ମୁଖ୍ୟମନ୍ତ୍ରୀ ଥିବାବେଳେ ବି ଚାଲିଯାଉଥିଲେ ଓଡ଼ିଶାର ଅଜଣାଅଶୁଣା କାହିଁ କେତେ ଅନ୍ଧାରୀମୁଲକକୁ । ସେଠି ମାମୁଲି ମଣିଷମାନଙ୍କ ଭଙ୍ଗା ଭାତହାଣ୍ଡିର ଖବର ବୁଝୁଥିଲେ, ଚୂଲିମୁଣ୍ଡର ନିଆଁରେ ପୋଡ଼ିଯାଇଥିବା ରୁଟିର ବାସ୍ନା ଭିତରେ ତେଲଲୁଣର ଜୀବନଗାଥା ଶୁଣୁଥିଲେ । ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଗୋପବନ୍ଧୁଙ୍କ ପରେ ସେଇ ଦ୍ୱିତୀୟ ଦରଦୀମରମୀ ମଣିଷ, ଯାହାଙ୍କୁ କ୍ଷମତାରୁ ତଡ଼ିବାପାଇଁ ସଭାଜନମାନେ ଚକ୍ରାନ୍ତ କରୁଥିଲେ ବି ଓଡ଼ିଶାର ଅଭାଜନମାନେ ମନେରଖିଛନ୍ତି ମନର ମଣିଷ ପରି! ଆଜି ଯଦି ମୁଁ କିଛି ଲେଖାଲେଖି କରୁଥାଏ – ସେସବୁର ମୂଳରେ ରହିଛି ନବକୃଷ୍ଣ ଚୌଧୁରୀଙ୍କ ସେଦିନର ଅବାରିତ ଅନୁପ୍ରେରଣା । ସେ ଥିଲେ ମୋ ଲେଖାଲେଖିର ମନ୍ତ୍ରଗୁରୁ । ସେଦିନ ଥିଲା ୧୯୭୫ ମସିହା ଜୁନ୍ ୨୬ ତାରିଖ ରାତି । ଦେଶରେ ହଠାତ୍ ଜରୁରୀକାଳୀନ ପରିସ୍ଥିତି ଜାରୀ । ଦୁନିଆ ସ୍ତବ୍ଧ । ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ନିର୍ବାଚନରେ ହାରିଯିବାରୁ ରାଷ୍ଟ୍ରପତି ଜୈଲ ସିଂଙ୍କ ଦ୍ୱାରା ଜରୁରିକାଳୀନ ପରିସ୍ଥିତି ଘୋଷଣା କଲେ । ଜୁନ୍୍ ୨୬ ତାରିଖରାତିରୁ ଆରମ୍ଭ ହେଲା -ଗିରଫଦାରି । ପ୍ରଥମେ ଜୟପ୍ରକାଶ ନାରାୟଣ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକଙ୍କ ସମେତ ବହୁନେତାଙ୍କୁ ଗିରଫ କରାଗଲା । ୨୭ ତାରିଖରେ ଦେଶର ପୁଲିସ୍ବାହିନୀ ଗୋଡେଇଗୋଡେଇ ଛୋଟରୁ ବଡନେତା ପର୍ଯ୍ୟନ୍ତ ଅନେକଙ୍କୁ ଗିରଫ କରି କାରାଗାରରେ ନିକ୍ଷେପ କଲେ । ମତେ ମଧ୍ୟ ପୋଲିସବାଲା ସୁକିନ୍ଦାଗଡ଼ରୁ ଗିରଫକରି କଟକ ସେଣ୍ଟ୍ରାଲ ଜେଲ୍କୁ ଆଣିଲେ । ଜେଲ୍ ଭିତରେ ପଶୁପଶୁ ନିର୍ଦ୍ଧାରିତ କୋଠରିରେ ପହଞ୍ଚିଲାବେଳେ ଦୂରରୁ ଶୁଭିଲା – ମାୟାଧର ! ଆସ, ଆସ । ଏ କଣ୍ଠସ୍ୱର ଆଉ କାହାର ନୁହେଁ – ସେ ହେଉଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣ କ୍ରାନ୍ତିର କାଣ୍ଡାରୀ, ସମାଜବିଜ୍ଞାନୀ, ଚିନ୍ତକ ନବକୃଷ୍ଟ ଚୌଧୁରୀ । ପରେପରେ ଜେଲକୋଠରି ଭିତରୁ ବାହାରି ଆସିଲେ – ଅଶୋକଭାଇ! ଅଶୋକ ଦାସ । ସେ ବି ଥିଲେ ମୋ ଭଳି ସଂପୂର୍ଣ୍ଣ କ୍ରାନ୍ତିର ସୈନିକ । ଅଶୋକଭାଇଙ୍କ ସଂଗେ ଅନେକ ବିଷୟରେ କଥାବାର୍ତ୍ତା ହେଲା ।ମଧ୍ୟାହ୍ନଭୋଜନ ପରେ ନବବାବୁ ଓ ମୁଁ ବସି ଅନେକ ବିଷୟରେ ଆଲୋଚନା କଲୁ । ସେ କହିଲେ – ମାୟାଧର, ତମ ପାର୍ଟିରେ ସବୁ ବଙ୍ଗଳାଅନୁବାଦ ଓଡିଆବହି ପଢିଛି । ଅନେକ ସ୍ଥାନରେ ମୁଁ ବି ବୁଝିପାରେନା – ତମେମାନେ ଯେଉଁ ସର୍ବହରା ଶ୍ରେଣୀର ମୁକ୍ତିପାଇଁ ଲଢୁଛ – ସେମାନେ ନବୁଝିଲେ ଲଢିବେ କିପରି? ତୁମେ ଗୋଟେ କାମ କର – ତୁମେ ଜନଗଣକୁ ବିପ୍ଳବୀ ଚେତନାରେ ଉଦ୍ବୁଦ୍ଧ କରିବା ପାଇଁ ଉପନ୍ୟାସ, ଗଳ୍ପ ଲେଖ । ଯେପରି ଟଲ୍ଷ୍ଟୟଙ୍କର ‘ପୁନର୍ଜୀବନ’, ଗର୍କିଙ୍କର ‘ମା’, ଶରତଚନ୍ଦ୍ରଙ୍କର ‘ଚଲାପଥର ଦାବୀ’, ଉପନ୍ୟାସ ଆମକୁ ଉଦ୍ବୁଦ୍ଧ କରିଥାଏ । ସେ ଜୋର୍ ଦେଇ କହିଲେ – କ’ଣ ଲେଖିବନା ? ମୁଁ ହଁ ମାରିଲି । ତା’ ପରଦିନ ତାଙ୍କୁ କଟକ ସେଂଟ୍ରାଲଜେଲରୁ ଅନ୍ୟ ଜେଲକୁ ବଦଳି କରାଗଲା । ନବବାବୁ ବଦଳି ହେବାର ୩ ମାସ ଗଡିଗଲାଣି । କଟକ ସେଂଟ୍ରାଲ୍ଜେଲ୍ରେ ପାଖାପାଖି ମୋତେଲଗାଇ ୪୧ ଜଣ ‘ମିସା’ବନ୍ଦୀ ରହିଲେଣି । ମୁଁ ୩ ମାସ ଭିତରେ ୩ଟି ବାକ୍ୟ ମଧ୍ୟ ଲେଖିପାରିଲି ନାହିଁ । ଆମେ ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନ୍ଗୋ, ଜନାର୍ଦ୍ଦନ ପତି ମିଶି ତାସ ଖେଳୁଥିଲୁ, କ୍ୟାରମ୍ ଖେଳୁଥିଲୁ । ଆମ ସହିତ କବି ରବି ସିଂ, ସମାଜସେବୀ ଅରୁଣ ପଣ୍ଡା ମଝିମଝିରେ ଯୋଗଦେଉଥିଲେ । ମନମୋହନ ଚୌଧୁରୀ, ମଦନମୋହନ ସାହୁ, ରବି ସାହୁ, ଯୁଧିଷ୍ଠିର ଦାସ, କୃଷ୍ଣଚନ୍ଦ୍ର ପାତ୍ର, ସଂଗ୍ରାମ ମହାପାତ୍ର, ରାଜୁ ସିଂ, ସାରଦା ମହାନ୍ତି, ଅମର ଶତପଥୀ, ନଦିଆ ବିହାରୀ ମହାନ୍ତି, ଶେଷଦେବ ନନ୍ଦ, ରମେଶ ଅଲ୍ଲିବେଶାନ୍ତ, ବରହମ୍ପୁରର ଅବୀର ପାଢ଼ୀ, ବିଶ୍ୱଭୂଷଣ ହରିଚନ୍ଦନ, ବିନୋଦ ମହାନ୍ତି, ଭୂପେନ୍ ବୋଷ, ତ୍ରିଲୋଚନ କାନୁନ୍ଗୋ, ପ୍ରତାପ ମହାନ୍ତି, ଗୁରୁଚରଣ ଦାସ, କୃଷ୍ଣକେଶବ ମିଶ୍ର ପ୍ରମୁଖ ଜେଲ୍ରେ । ଆମ ସମସ୍ତ ମିସାବନ୍ଦୀମାନଙ୍କ ମୁରବୀ ଥିଲେ-ପଦ୍ମଚରଣ ସାମନ୍ତସିଂହାର । ସବୁଦିନେ ଲେଖିବାକୁ ଇଚ୍ଛାକରେ । ହେଲେ ଧାଡ଼ିଏ ବି ଲେଖା ହେଉନଥାଏ । କିନ୍ତୁ ନବବାବୁଙ୍କ ଆଦେଶ – ଲେଖ । ସେ ଆଦେଶକୁ ଅମାନ୍ୟ କରିବ କିଏ? ଜେଲରେ ସେତେବେଳେ ଭାରି କଟକଣା । କାଗଜକଲମ ନାହିଁ । ଆମେ ୪୧ ଜଣ ‘ରାଜବନ୍ଦୀ’ ହୋଇଥିବାରୁ କିଛି ସୁବିଧା ସୁଯୋଗ ଥାଏ । ସମସ୍ତଙ୍କ ପାଇଁ ସେତେବେଳର ବାଟାସ୍ପଞ୍ଜଚପଲ ହଳେହଳେ ମିଳିଥାଏ । ଜୋତାଖୋଳସବୁ ସମସ୍ତଙ୍କ ଖଟତଳେ ପଡିଥିଲା । ସେସବୁକୁ ସାଉଁଟି ରଖିଲି । ଜୋତାଖୋଳରେ ପେନ୍ସିଲରେ ଆରମ୍ଭ କଲି-‘ଦାନାକନା’ ଉପନ୍ୟାସ । ଆଦିମସମାଜରୁ ଭବିଷ୍ୟତରେ ସାମ୍ୟବାଦୀ ସମାଜ ପର୍ଯ୍ୟନ୍ତ । କି ନିଶା ଲାଗିଲା କେଜାଣି – ମନରେ ନିଆଁ ଚରିଗଲା । ଦିନରେ ପଢିଲି – ରାତିସାରା ଲେଖିଲି । ଜେଲ୍ରେ ୧୬ ମାସବେଳକୁ ‘ଦାନକନା’ ଉପନ୍ୟାସର ମୁଣ୍ଡି ମାରିଲି । ତା’ ଭିତରେ ଗଳ୍ପ, କବିତା, ଛୋଟ ଉପନ୍ୟାସ ମଧ୍ୟ ଲେଖୁଥାଏ । ଲେଖିବା ପୂର୍ବରୁ ମୋ ମାନସଚକ୍ଷୁରେ ନବବାବୁଙ୍କ ଉଜ୍ଜ୍ୱଳ ମୁହଁ ଝଲସି ଉଠୁଥାଏ । ମୋର କାରାବାସ ୧୯ ମାସ ମଧ୍ୟରୁ ପ୍ରାୟ ଅଢ଼େଇମାସ କଟକ ବଡ଼ମେଡ଼ିକାଲରେ କଟିଥିଲା । ଡାକ୍ତର ନର୍ସ କର୍ମଚାରୀମାନେ ମତେ ପୂର୍ଣ୍ଣ ସହଯୋଗ କରୁଥିଲେ ।
ନବକୃଷ୍ଣ ଚୌଧୁରୀ ଓଡିଶାର ୨ୟ ମୁଖ୍ୟମନ୍ତ୍ରୀ । ୧୯୪୭-୧୯୫୦ ଡଃ ହରେକୃଷ୍ଣ ମହତାବ । ୧୯୫୦-୧୯୫୬ ନବକୃଷ୍ଣ ଚୌଧୁରୀ – ପୁଣି ୧୯୫୬-୧୯୬୧ ହରେକୃଷ୍ଣ ମହତାବମୁଖ୍ୟମନ୍ତ୍ରୀ -ଏବେ ୧୮ ତମ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ନବବାବୁ ୧୯୫୬ ମସିହାରେ ଯେଉଁଦିନ ଇସ୍ତଫା ଦେଲେ – ସେଦିନ ସରକାରୀ ବଙ୍ଗଳା ଛାଡି ତାଙ୍କ ବେଡିଙ୍ଗ୍ ଓ ବ୍ୟାଗ୍ କାଖରେ ଜାକି ବସରେ ରାଜଧାନୀରୁ କଟକ ଆସିଲେ । ଏ କଥା ପିଲାବେଳେ ଶୁଣିଥିଲି । ସେହି ଦିନଠାରୁ ନବବାବୁଙ୍କୁ ଦେଖିବା ପାଇଁ ମନ ଡାକୁଥିଲା । ସୁଯୋଗକ୍ରମେ ୧୯୭୪ ମସିହାରେ ଜୟ ପ୍ରକାଶଙ୍କ ନେତୃତ୍ୱରେ ‘ସଂପୂର୍ଣ୍ଣକ୍ରାନ୍ତି’ ସଂଗ୍ରାମରେ ସାମିଲ୍ ହେଲି । ନବବାବୁଙ୍କସହ ମିଶିଲି । ତାଙ୍କୁ ସୁକିନ୍ଦା-ଭୂବନ ସଭାକୁ ନେଲି । ସେଦିନ ସୁକିନ୍ଦାଗଡରେ ବସରୁ ନବବାବୁ ଓହ୍ଲାଇ ମୋ ପାଖକୁ ଆସି ବ୍ୟାଗରୁ ତାଳସଜ ବାହାରକରି ଖାଇବାକୁ ଦେଲେ । ତାଙ୍କ ସହ ୨ ଦିନ ବିତାଇଲି । ତାଙ୍କୁ ଦେଖାକରିବା ପାଇଁ କଟକ କାଠଯୋଡି ଘର ଆଉ ଅନୁଗୁଳ ବାଜି ରାଉତ ଛାତ୍ରାବାସକୁ ଯାଇଛି । ନବବାବୁ, ମାଳତୀ ଚୌଧୁରୀ (ନୂମା)ଙ୍କ ସହ ମିଶିଛି । ‘ନୂମା’ କହିଲେ : ମାୟାଧର ମୁଁ ମରିଗଲେ ମୋତେ ନେଇ ସୁକିନ୍ଦାରେ ସମାଧି ଦେବ । ଏତେବଡ ରାଜନେତା, ମହାତ୍ମା ଗାନ୍ଧିଙ୍କ ସହଯୋଗୀ । ଏତେ ସରଳଜୀବନଯାପନ – ପୁଣି ସ୍ୱେହଶ୍ରଦ୍ଧାର ସାଗରରେ । ସେହି ଯୋଗଜନ୍ମା – ମଣିଷ ପରି ମଣିଷଟିଏ – ଯୋଦ୍ଧୃପୁରୁଷ ନବକୃଷ୍ଣ ଚୌଧୁରୀଙ୍କୁ ଜଣାଉଛି ସହସ୍ର ସଲାମ୍ ।
ଯାଜପୁର ରୋଡ, ଯାଜପୁର,
ମୋ : ୯୮୬୧୦୩୪୧୬୩