୧୪ମାସରେ ୩୫ହଜାର କୋଟି ଋଣ ପରିଶୋଧ କରିଛି ଆର୍କମ୍
ନୂଆଦିଳ୍ଲୀ, (ଏଜେନ୍ସି): ଆର୍କମ୍ ସମସ୍ତ ଋଣ ନେଣଦେଣକୁ ଧାର୍ଯ୍ୟ ସମୟ ମଧ୍ୟରେ ପରିଶୋଧ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏପରି ଏକ ତଥ୍ୟ ରିଲାଏନ୍ସ ଅନିଲ୍ ଧିରୁଭାଇ ଅମ୍ବାନୀ ସମୂହର ପ୍ରମୁଖ ଅନିଲ ଅମ୍ବାନୀ ମଙ୍ଗଳବାର ପ୍ରକାଶ କରିଛନ୍ତିି । ସେ କହିଛନ୍ତି ଯେ ଗତ ୧୪ ମାସ ଭିତରେ ସମୂହ ୩୫ହଜାର କୋଟି ଟଙ୍କାର ଋଣ ପରିଶୋଧ କରିସାରିଛି । ଅମ୍ବାନୀଙ୍କୁ ଚ୍ୟାଲେଞ୍ଜ୍ପୂର୍ଣ୍ଣ ସ୍ଥିତି ଓ ଅର୍ଥପୋଷଣରୁ କୌଣସି ଆର୍ଥିକ ସହାୟତା ନମିଳିବା ସତ୍ତେ୍ୱ ତାଙ୍କ ସମୂହ ଏପ୍ରିଲ୍ ୧, ୨୦୧୮ ଠାରୁ ୩୧ମଇ , ୨୦୧୯ ମଧ୍ୟରେ ନିଜ ଉପରେ ଥିବା ବକେୟା ଋଣରେ ୨୪,୮୦୦କୋଟି ଟଙ୍କାର ମୂଳଧନ ଓ ୧୦,୬୦୦କୋଟି ଟଙ୍କାର ଶୁଳ୍କ ପରିଶୋଧ କରିବାରେ ସଫଳ ହୋଇଛି । ସେ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ଭିତ୍ତିହୀନ ଗୁଜବ, ଅଟକଳ ଓ ରିଲାଏନ୍ସ ସମୂହର ସମସ୍ତ କମ୍ପାନୀଗୁଡ଼ିକର ଶେୟାରରେ ହ୍ରାସ୍ ଯୋଗୁଁ କମ୍ପାନୀର ସମସ୍ତ ହିତାଧିକାରୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି । ଏହି ୩୫ହଜାର କୋଟି ଟଙ୍କାର ଋଣ, ପେମେଣ୍ଟ ରିଲାଏନ୍ସ କ୍ୟାପିଟାଲ୍, ରିଲାଏନ୍ସ ପାୱାର ଓ ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକଚର୍ ଓ ଏଥିସହିତ ସମ୍ବନ୍ଧିତ କମ୍ପାନୀଗୁଡ଼ିକ ସହିତ ସମ୍ପୃକ୍ତ । ଅମ୍ବାନୀଙ୍କ ପକ୍ଷରୁ ନିବେଶକଙ୍କୁ ଆଶ୍ୱସ୍ତି କରାଯାଇଛି ଯେ ତାଙ୍କ ସମୂହ ଭବିଷ୍ୟତରେ ସମସ୍ତ ଋଣ ନେଣଦେଣକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ କମ୍ପାନୀ ନିକଟରେ ପରିସମ୍ପତ୍ତିଗୁଡ଼ିକର ମୁଦ୍ରାକରଣ ଯୋଜନା ରହିଛି । ଯାହାକୁ ସେମାନେ କେତେକ ସ୍ତରରେ ଲାଗୁ ମଧ୍ୟ କରିଛନ୍ତି । ଅମ୍ବାନୀ ସମୂହର କିଛି ନିର୍ଦ୍ଧିଷ୍ଟ ସମସ୍ୟା ପାଇଁ ନିୟାମକୀୟ ସଂସ୍ଥା ଓ ଅଦାଲତକୁ ମଧ୍ୟ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ କିଛି ମାମଲାର ନିଷ୍ପତ୍ତି ଆସିବାରେ ବିଳମ୍ବ କାରଣରୁ ସମୂହକୁ ୩୦ହଜାର କୋଟି ଟଙ୍କାରୁ ଅଧିକ ବକେୟା ମିଳିପାରି ନାହିଁ । ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଇନ୍ଫ୍ରାଷ୍ଟ୍ରକଚ୍ର, ରିଲାଏନ୍ସ ପାୱାର ଓ ଏଥିସହିତ ସମ୍ବନ୍ଧିତ କମ୍ପାନୀଗୁଡ଼ିକର ଏହି ବକେୟା ୫ରୁ ୧୦ବର୍ଷର ପୁରୁଣା । ଏହା ଉପରେ ଅନ୍ତିମ ନିର୍ଣ୍ଣୟ ଆସିବା ବିଭିନ୍ନ କାରଣ ଯୋଗୁଁ ବିଳମ୍ବ ହୋଇଛି । ସେ କହିଛନ୍ତି ଯେ ଆର୍ଥିକ ପ୍ରଣାଳୀ ଏଡ଼ିଏଜି ଗ୍ରୁପ୍ ପ୍ରତି ସମ୍ପୂର୍ଣ୍ଣ ଭାବେ ଉଦାସୀନତା ଅବଲମ୍ବନ କରିଛି । ଏଥିସହ କେଉଁଠାରୁ କୌଣସି ବି ସମର୍ଥନ ମିଳିନାହିଁ । ଯାହାର ପରିମାଣସ୍ୱରୁପ ଏହା ଋଣଦାତା ଓ ଅନ୍ୟ ଷ୍ଟକ୍ହୋଲ୍ଡର୍ସଙ୍କ ହିତର କ୍ଷତି ହୋଇଛି । ଅମ୍ବାନୀ କହିଛନ୍ତି ଯେ ଗ୍ରୁପ୍କୁ ପରିବର୍ତ୍ତନ କରିବାର ଯାତ୍ରା ଆରମ୍ଭ ହୋଇସାରିଛି । ଯେଉଁଥିରେ ପୁଞ୍ଜିକୁ ସାମାନ୍ୟ ରଖିବା, ଅତିକମ୍ ଋଣ ନେବା ଓ ଶେୟାରରେ ଉଚ୍ଚ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତିବଦ୍ଧତା ରହିଛି । ଯାହାକି ସମସ୍ତ ଷ୍ଟକ୍ହୋଲ୍ଡର୍ସଙ୍କ ମୂଲ୍ୟକୁ ବୃଦ୍ଧି କରିବ ।


