ଧାନ ବିକ୍ରୟ କରି ପ୍ରାପ୍ୟ ଅର୍ଥ ପାଉନଥିବା ପ୍ରତିବାଦରେ ଚାଷୀ କରିବେ ଆନ୍ଦୋଳନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ଚାଇଁପୁର ସେବା ସମବାୟ ସମିତିରେ ଧାନ ବିକ୍ରୟ କରି ପ୍ରାପ୍ୟ ଅର୍ଥ ପାଉନଥିବା ନେଇ ଶତାଧିକ ଚାଷୀ ସମିତି ଆଗରେ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଚଳିତ ଖରିଫ ଋତୁ ପାଇଁ ଚାଇଁପୁର ସେବା ସମବାୟ ସମିତି ଅଧିନରେ ଶତାଧିକ ଚାଷୀ ଧାନ ବିକ୍ରୟ କରିବା ନେଇ ଅନ୍ଲାଇନରେ ନାମ ପଞ୍ଜୀକୃତ କରିଥିଲେ । ସେମାନଙ୍କ ମଧ୍ୟରୁ ବନ୍ତ ଗ୍ରାମର ଜଳଧର ନାୟକ ୭୦.୦୫କୁଇଁଣ୍ଟାଲ, ନିରୁପମା ବେହେରା ୨୫, ବିବେକାନନ୍ଦ ମିଶ୍ର ୨୦, ସୟଦ ମେହରବାନ ଅଲ୍ଲୀ ୮.୫୫, ପ୍ରେମଲତା ନାୟକ ୩ .୫୪, ସଖିପାଟଣା ଗ୍ରାମର ନୃସିଂହ ଚରଣ ପଲେଇ ୨୯.୭୪, ଭୁବନେଶ୍ୱରପୁର ଶାସନ ଗ୍ରାମର ଭାସ୍କର ଶତପଥି ୨୬.୪୧, ଶ୍ରୀବନ୍ତପୁର ଗ୍ରାମର ଦିଲୀପ କୁମାର ଜେନା ୬.୨୨କୁଇଁଣ୍ଟାଲ ଧାନ ଗତ ଏପ୍ରିଲ ୪, ୬ ଓ ୧୨ ତାରିଖରେ ଧାନ ବିକ୍ରୟ କରିଥିଲେ । ଏପରିପେକ୍ଷୀରେ ଧାନ ବିକ୍ରିକୁ ଦୁଇ ମାସ ବିତିବାକୁ ବସିଥିବା ବେଳେ ସେମାନଙ୍କ ଏକାଉଣ୍ଟକୁ ଅଦ୍ୟାବଧି ଟଙ୍କା ଆସୁନାହିଁ । ଏଥିନେଇ ସେମାନେ ବାରମ୍ବାର ସମବାୟ ସମିତିକୁ ଯାଇ ପଚାରୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି । ପରିବାର ଚଳାଇବା ତଥା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଉକ୍ତ ଅର୍ଥକୁ ଖର୍ଚ୍ଚ କରିବାକୁ ଚାଷୀମାନେ ଚାହୁଁଥିଲେ ମଧ୍ୟ ସେମାନେ ଏବେ ଶୂନ ହାତ ହୋଇ ବସିଛନ୍ତି । ଏବେ ରଜ ପର୍ବ ଥିବାରୁ ଚାଷୀ ମାନଙ୍କ ପାଇଁ ଅର୍ଥ ଅତ୍ୟନ୍ତ ଜରୁରୀ ହୋଇପଡିଛି । ପାଖରେ ଟଙ୍କାଟିଏ ନଥିବାରୁ ସେମାନଙ୍କ ପାଇଁ ରଜପର୍ବ ଫିକା ପଡି ଯାଇଛି । ସମସ୍ତ ଚାଷୀମାନେ ଧାନବିକ୍ରୟ କରି ଭେଣ୍ଡର ସ୍ଲିପ୍ ପାଇଥିଲେ ମଧ୍ୟ କାହିଁକି ତାଙ୍କୁ ଅର୍ଥ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାହା ପ୍ରଶ୍ନବାଚୀ ହୋଇଛି । ତେବେ ରାଜ୍ୟ ସରକାର ଉପରୋକ୍ତ ସମିତିର ଚାଷୀ ମାନଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି ।


