ପୁରୁଣା ଏଫଡ଼ିଆଇ ନୀତିକୁ ସଂଶୋଧନ କଲେ ସରକାର
ନୂଆଦିଲ୍ଲୀ : ଭାରତ ସରକାର ପ୍ରଚଳିତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡ଼ିଆଇ) ନୀତିକୁ ବ୍ୟାପକ ଭାବେ ସମୀକ୍ଷା କରିଛନ୍ତି । ସାମ୍ପ୍ରତିକ ବୈଶ୍ୱିକ ମହାମାରୀ କୋଭିଡ-୧୯ର ସୁଯୋଗ ନେଇ ଭାରତୀୟ କମ୍ପାନୀଗୁଡ଼ିକୁ କିଣିବା ଅବା ଆହରଣ ପାଇଁ ଫାଇଦା ହାସଲକାରୀଙ୍କ ଉଦ୍ଦେଶ୍ୟକୁ ନିୟନ୍ତ୍ରଣ କରିବା ସକାଶେ ସରକାର ଏଫଡ଼ିଆଇ ନୀତିର ପାରା ୩.୧.୧କୁ ସଂଶୋଧନ କରିଛନ୍ତି ଯାହାକି ସମନ୍ୱିତ ଏଫଡ଼ିଆଇ ନୀତି, ୨୦୧୭ର ଅଂଶବିଶେଷ । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ବିଭାଗ ଅଧୀନସ୍ଥ ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ କାରବାର ପ୍ରୋତ୍ସାହନ ବିଭାଗ ଏ ସଂପର୍କରେ ପ୍ରେସ ନୋଟ ସଂଖ୍ୟା.୩ (୨୦୨୦ସିରିଜ) ଜାରି କରିଛନ୍ତି । ବର୍ତ୍ତମାନର ସ୍ଥିତି ଏବଂ ସଂଶୋଧନ ପରର ସ୍ଥିତି ନିମ୍ନରେ ପ୍ରଦାନ କରାଗଲା, ବର୍ତ୍ତମାନର ସ୍ଥିତି : ପାରା ୩.୧.୧: ଜଣେ ପ୍ରବାସୀ ଭାରତୀୟ ବ୍ୟକ୍ତି ଭାରତରେ ନିବେଶ କରିପାରିବେ । କିନ୍ତୁ ସେଥିପାଇଁ ସେ ଏଫଡ଼ିଆଇ ନୀତିର ସର୍ତ୍ତାବଳୀ ଅନୁସାରେ ହିଁ ତାହା କରିପାରିବେ ଏବଂ ସେ ସେଭଳି ସେକ୍ଟରରେ / କାର୍ଯ୍ୟ କରିପାରିବେନାହିଁ ଯାହାକୁ ଆଇନତଃ ନିଷିଦ୍ଧ କରାଯାଇଛି । କିନ୍ତୁ, ବାଂଲାଦେଶର ଜଣେ ନାଗରିକ କିମ୍ବା ସଂସ୍ଥା ଯିଏକି ବାଂଲାଦେଶରେ ପଞ୍ଜିକୃତ ସେମାନେ ଚାହିଁଲେ ସରକାରୀ ମାର୍ଗରେ ହିଁ ଭାରତରେ ସେମାନଙ୍କର ପୁଞ୍ଜି ନିବେଶ କରିପାରିବେ । ଅଧିକନ୍ତୁ, ପାକିସ୍ତାନର ଜଣେ ନାଗରିକ କିମ୍ବା ସଂସ୍ଥା ଯିଏ କି ପାକିସ୍ତାନରେ ପଞ୍ଜିକୃତ ସେମାନେ ସରକାରୀ ମାଧ୍ୟମରେ ପ୍ରତିରକ୍ଷା, ମହାକାଶ, ଆଣବିକ ଶକ୍ତି ଭଳି ସେକ୍ଟର/ କାର୍ଯ୍ୟ ଏବଂ ଅନ୍ୟ ଯେଉଁସବୁ ସେକ୍ଟର/ କାର୍ଯ୍ୟରେ ବିଦେଶୀ ପୁଞ୍ଜି ନିବେଶକୁ ନିଷେଧ କରାଯାଇଛି, ତାହାକୁ ଛାଡ଼ି ଅନ୍ୟତ୍ର ପୁଞ୍ଜି ନିବେଶ କରିପାରିବେ । ସଂଶୋଧିତ ସ୍ଥିତି ପାରା ୩.୧.୧(କ): ଜଣେ ପ୍ରବାସୀ ଭାରତୀୟ ଭାରତରେ ପୁଞ୍ଜି ନିବେଶ କରିପାରିବେ କିନ୍ତୁ ତାହା ଏଫଡ଼ିଆଇ ନୀତିରେ ଥିବା ସର୍ତ୍ତାବଳୀ ପୂରଣ କରିବା ଦ୍ୱାରା ସମ୍ଭବ । ତେବେ ଯେଉଁସବୁ ସେକ୍ଟର/କ୍ଷେତ୍ର ପାଇଁ ତାହା ନିଷେଧ କରାଯାଇଛି ସେଥିରେ ସେମାନେ ପୁଞ୍ଜି ନିବେଶ କରିପାରିବେନାହିଁ । କିନ୍ତୁ କୌଣସି ଏକ ରାଷ୍ଟ୍ର ଯାହାରକି ଭାରତ ସହ ଭୂସୀମା ସଂଲଗ୍ନ ରହିଛି କିମ୍ବା ଯେଉଁଠାରେ ସୁବିଧା ପାଉଥିବା ସେଠାକାର କେହି ମାଲିକ ଭାରତରେ ନିବେଶ କରିବାକୁ ଚାହାନ୍ତି, ସେଭଳି ବ୍ୟକ୍ତି ଯଦି ସେହିଭଳି କୌଣସି ରାଷ୍ଟ୍ରର ନାଗରିକ ହୋଇଥିବେ, ତେବେ ସେମାନେ ସରକାରଙ୍କ ମାଧ୍ୟମରେ ହିଁ ନିବେଶ କରିପାରିବେ । ପୁନଶ୍ଚ, ପାକିସ୍ତାନର ଜଣେ ନାଗରିକ କିମ୍ବା ସଂସ୍ଥା ଯିଏ କି ପାକିସ୍ତାନରେ ପଞ୍ଜିକୃତ ସେମାନେ କେବଳ ସରକାରୀ ମାର୍ଗରେ ହିଁ ପ୍ରତିରକ୍ଷା, ମହାକାଶ, ଆଣବିକ ଶକ୍ତି ଭଳି ସେକ୍ଟର/ କାର୍ଯ୍ୟ ଏବଂ ଯେଉଁସବୁ ସେକ୍ଟର/ କାର୍ଯ୍ୟରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ନିଷେଧାଜ୍ଞା ଜାରି କରାଯାଇଛି, ତାହାକୁ ଛାଡ଼ି ଅନ୍ୟତ୍ର ନିବେଶ କରିପାରିବେ । ୩.୧.୧.(ଖ): ବର୍ତ୍ତମାନ ଭାରତରେ ମାଲିକାନା ଥିବା କୌଣସି ସଂସ୍ଥା କିମ୍ବା ଭବିଷ୍ୟତର ଏଫଡ଼ିଆଇ, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଯଦି ହସ୍ତାନ୍ତର କରାଯିବାକୁ ଥାଏ, ଏବଂ ତାହା ପାରା.୩.୧.୧(କ) ଦ୍ୱାରା କରାଯାଇଥିବା ନିଷେଧାଦେଶ/ କ୍ଷମତା ପରିସରଭୁକ୍ତ ହେଉଥିବ, ସେଭଳି ପରବର୍ତ୍ତୀ ଲାଭପ୍ରଦ ମାଲିକାନା ପରିବର୍ତ୍ତନ ପାଇଁ ମଧ୍ୟ ସରକାର ସ୍ୱୀକୃତି ଆବଶ୍ୟକ ହେବ । ଫେମା ବିଜ୍ଞପ୍ତି ଜାରି ହେବା ଦିନଠାରୁ ଏହି ନିଷ୍ପତ୍ତି ବଳବତ୍ତର ହେବ ।