ସୁରାଟ ଓଡ଼ିଆ ସମାଜ ପକ୍ଷରୁ ଦୈନିକ ପାଞ୍ଚ ହଜାରରୁ ଉର୍ଦ୍ଧ୍ବଙ୍କୁ ଦୁଇ ଥର ଗରମ ରନ୍ଧାଖାଦ୍ୟ

ବୁଗୁଡା,(ଅନିଲ କୁମାର ମହାରଣା):ସୁରାଟ ଓଡ଼ିଆ ସମାଜ ପକ୍ଷରୁ ଗୁଜରାଟର ସୁରାଟ ସହରରେ ରହୁଥିବା ଓଡ଼ିଆ ଶ୍ରମିକ ପରିବାରର ୫୦୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦୈନିକ ଦୁଇ ଥର ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସୁରାଟ ଓଡ଼ିଆ ସମାଜ ପକ୍ଷରୁ ମନୋରଞ୍ଜନ ବାରିକ(ମୁନା ଭାଇ),ପ୍ରଦୀପ କୁମାର ସାହୁ, ଜୟ ଗନ୍ତାୟତ, ପଞ୍ଚାନନ ପ୍ରମୁଖଙ୍କ ନେତୃତ୍ୱରେ ସୁରାଟର ପେଡ ରୋଡ଼ ଅଞ୍ଚଳରେ ପ୍ରତିଦିନ ଓଡ଼ିଆ ଶ୍ରମିକ ପରିବାରର ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦୁଇ ବେଳା ଗରମ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ଗୁଜରାଟ ସରକାରଙ୍କ ପକ୍ଷରୁ ସୁରାଟ ଓଡ଼ିଆ ସମାଜକୁ କେବଳ ଚାଉଳ ମାଗଣା ଯୋଗାଣ ହେଉଥିବା ବେଳେ ଡାଲି ଓ ପନିପରିବା ଖର୍ଚ୍ଚ ଓଡ଼ିଆ ସମାଜର ମନୋରଞ୍ଜନ ବାରିକ,ପ୍ରଦୀପ କୁମାର ସାହୁ ପ୍ରମୁଖ ଭରଣ କରିଥାନ୍ତି। ଲକ ଡାଉନ ଯୋଗୁଁ ସମସ୍ତ କଳ କାରଖାନା ବନ୍ଦ ଥିବା ବେଳେ ଶ୍ରମିକ ମାନେ ବେରୋଜଗର ହୋଇଯାଇଛନ୍ତି। ଯାନବାହନ ଚଳାଚଳ ବନ୍ଦ ଯୋଗୁଁ ଶ୍ରମିକ ମାନେ ଓଡ଼ିଶା ଫେରିପାରୁନଥିବା ବେଳେ ହଜାର ହଜାର ଶ୍ରମିକ ଖାଇବାକୁ ନପାଇ ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏହି ସମୟରେ ଓଡ଼ିଆ ସମାଜର ଏହି କେତେଜଣ ବ୍ୟକ୍ତି ଦେବଦୂତ ସାଜି ସୁରାଟ ପ୍ରଶାସନ ସହ ଆଲୋଚନା କରିଥିଲେ। ଯାହା ଫଳରେ ଗୁଜରାଟ ସରକାର ମାଗଣାରେ ଓଡ଼ିଆ ସମାଜକୁ କେବଳ ଚାଉଳ ଯୋଗାଣ କରୁଛନ୍ତି। ଏହି କେତେଜଣ ଓଡ଼ିଆ ବ୍ୟକ୍ତିଗତ ଭାବେ ଡାଲି ଓ ପନିପରିବା କ୍ରୟକରିବା ସହ ରୋଷେଇ କରିଥାଆନ୍ତି। ଏହାପରେ ମନୋରଞ୍ଜନଙ୍କ ବ୍ୟକ୍ତିଗତ ଗାଡ଼ିରେ ଗରମ ରନ୍ଧାଖାଦ୍ୟ ବୋଝେଇ ହୋଇ ପେଡ ରୋଡ଼ ଅଞ୍ଚଳକୁ ଅଣାଯାଇ ପ୍ରତିଦିନ ୫୦୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦୁଇ ଥର ଖାଇବାକୁ ଦିଆଯାଉଛି। ପ୍ରକାଶ ଥାଉକି ମନୋରଞ୍ଜନ ବାରିକ ହେଉଛନ୍ତି ଆମ ବୁଗୁଡା ବ୍ଲକର ଘୋଳପୁର ଗ୍ରାମର ଜୟରାମ ବାରିକଙ୍କ ପୁଅ ତଥା ଯୁବନେତା ମହେଶ୍ୱର ବାରିକଙ୍କ ସାନଭାଇ। ଏହି ସେବା କାର୍ଯ୍ୟ ପାଇଁ ସୁରାଟ ପ୍ରଶାସନ ଓ ଓଡ଼ିଆ ଶ୍ରମିକ ବୃନ୍ଦ ଓଡ଼ିଆ ସମାଜର ନେତୃ ବୃନ୍ଦଙ୍କୁ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ