କାଜୁ ଲିଜ୍ ବିବାଦରୁ ବୋମାମାଡ଼
କୋଦଳା,(ଗୁଲସନ୍ କୁମାର କର):ଲକ୍ ଡାଉନ୍ ପିରିୟଡରେ ବୋମାମାଡ ଏବଂ ବୋମାମାଡ ରେ ମୃତ ଭଳି ଘଟଣା ସାମ୍ମାକୁ ଆସିଛି। ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖୀଡିଙ୍ଗି କାଜୁ ଜଙ୍ଗଲରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। କାଜୁ ଜଙ୍ଗଲ ଲିଜ଼ ବିବାଦକୁ ନେଇ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖୀଡିଙ୍ଗି ଠାରେ ଏହି ବୋମାମାଡ ହୋଇଥିବା ଜଣାପଡିଛି। ବୋମାମାଡ ରେ ଜଣେ ଯୁବକ ଙ୍କ ମୃତୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । କାଜୁ ନିଗମ ର ଅଧୀନରେ ଥିବା ଜଙ୍ଗଲ ଲିଜ଼ ନେବାପାଇଁ ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ମାନେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଏଠାରେ ବସବାସ କରିବା ସହ ଉକ୍ତ କାଜୁ ଜଙ୍ଗଲ ର ରକ୍ଷଣାବେକ୍ଷଣ କରି ଆସୁଥିଲେ । ତେବେ ଏହି ଅଂଚଳ ର ଆଦିବାସୀ ମାନେ ଉକ୍ତ ଜଙ୍ଗଲ କୁ ନିଜର ଜୀବିକା ଭାବେ ଅଧିନ କରୁଥିଲେ ।ନିକଟରେ ସୁମୁଣ୍ଡଳ ଅଂଚଳ ର କିଛି ଅଣ ଆଦିବାସୀ ଲୋକ ଓଡିଶା କାଜୁ ନିଗମ ଅଧୀନରେ ଥିବା ଏହି ଜଙ୍ଗଲ କୁ ଲିଜ଼ ସୂତ୍ରରେ ନେଇଥିଲେ। ଯାହାଫଳରେ ଉକ୍ତ କାଜୁ ଜଙ୍ଗଲ କୁ ନେଇ ଆଦିବାସୀ ଓ ଅଣ ଆଦିବାସୀ ଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା।ଗତ ଏକ ସପ୍ତାହ ପୂର୍ବରୁ ମଧ୍ୟ କାଜୁ ଲିଜ୍ ଘଟଣାକୁ ନେଇ ଗଣ୍ଡଗୋଳରେ ଖୀଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ ଆହତ ହୋଇ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୋମବାର ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ ଖଇରଖମା ପଂଚାୟତ ର ଗୁଞ୍ଜବଳା ଗ୍ରାମର ଯୋଗୀ ବିଶ୍ୱାଳ ଙ୍କ ପୁଅ ପ୍ରଭାକର ବିଶ୍ୱାଳ (୪୦) ତାଳସର ଗ୍ରାମର ବଇଁଶୀ ରାଉତ ଙ୍କ ପୁଅ ଅଶୋକ ରାଉତ (୪୩) ଉକ୍ତ ଖୀଡିଙ୍ଗି ଜଙ୍ଗଲ କୁ କାଜୁ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ପୁଣି ବିବାଦ ଘନେଇ ଥିଲା। ଉକ୍ତ ଜଙ୍ଗଲ ରେ ରହିଆସୁଥିବା ଲୋକ ମାନେ ପ୍ରତିକ୍ରିୟାଶୀଳ ହେବା ଫଳରେ ପୁଣି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ବିବାଦ ଉଗ୍ର ରୂପ ନେବା ପରେ ହୋଇଥିଲା ବୋମାମାଡ ।ଘଟଣା ସ୍ଥଳରେ ପ୍ରଭାକର ବିଶ୍ୱାଳ ବୋମା ମାଡ଼ରେ ମୃତୁ ବରଣ କରିଥିବା ବେଳେ ଅଶୋକ ରାଉତ ଆହତ ହୋଇଛନ୍ତି। ଉଭୟଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଏସ ଡ଼ି ପି ଓ ସୀମା ସ୍ବାଇଁ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା,ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା,ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।


