ଶିଳ୍ପ ସଂସ୍ଥାରେ କାର୍ଯ୍ୟ ଚାଲୁ ରଖିବାକୁ ନିୟମାବଳୀର ଅନୁପାଳନ କର:ଜିଲ୍ଲାପାଳ

ଯାଜପୁର,(ଓ୍ବାଇଏନ୍ଏସ୍):ଶିଳ୍ପସଂସ୍ଥା ମାନଙ୍କରେ ସାମାଜିକ ଦୂରତା ସହ ସରକାରୀ ନିୟମାବଳୀକୁ ଅନୁପାଳନ କରି ଉତ୍ପାଦନ ଚାଲୁ କରିବାକୁ ସରକାର ନିର୍ଦ୍ଧେଶାନାମା ଜାରି କରିଛନ୍ତି । ତେଣୁ ସମସ୍ତ ଶିଳ୍ପାନୁଷ୍ଠାନ ନିୟମାବଳୀକୁ ନିଷ୍ଠାର ସହ ପାଳନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଛନ୍ତି । ସୋମବାର ପୂର୍ବାହ୍ନରେ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ ସମ୍ମିଳନୀ କକ୍ଷରେ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ସରକାରୀ ନିର୍ଦ୍ଧେଶ ଅନୁସାରେ କରୋନା ପ୍ରତିହତ ସହ ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡ ବା ଏସ୍‌.ଓ.ପି କୁ ପ୍ରତ୍ୟେକ ମାନିବା ଓ ଅଂଶୁଘାତରୁ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ପ୍ରକ୍ରିୟାରେ ଜଡି଼ତ ଶ୍ରମିକ, ଟେକ୍ସିସିଆନ, ସୁପର ଭାଇଜର ଓ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯିବ । କାର୍ଯ୍ୟକ୍ଷେତ୍ରରେ ଓ ବାହାରେ ବୁଲିବାବେଳେ ମାକ୍ସ ଲଗାଇବା ଅପରିହାର୍ଯ୍ୟ । ଶ୍ରମିକ ବା କର୍ମଚାରୀଙ୍କୁ ନେବା ଆଣିବା କରୁଥିବା ଯାନଗୁଡି଼କରେ ବହନ କ୍ଷମତାର ଶତକଡ଼ା ୩୦ ବା ୪୦ ଭାଗ ଲୋକଙ୍କୁ ନେବା ଆଣିବା କରିବେ, କାର୍ଯ୍ୟ କ୍ଷେତ୍ରରେ ଶ୍ରମ ଶିବିରର ବ୍ୟବସ୍ଥା କରାଯାଇ ଖାଇବା, ବସିବା ଶୋଇବା ଇତ୍ୟାଦି ସାମାଜିକ ଦୂରତା ଆଧାରରେ ହେବ, କାର୍ଯ୍ୟକ୍ଷେତ୍ରରେ ରହଣି କ୍ଷେତ୍ରରେ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଭାବେ ସାବୁନରେ ହାତ ଧୋଇବାର ବ୍ୟବସ୍ଥା କରାଯିବ, କର୍ମଚାରୀ ଓ ଶ୍ରମିକମାନଙ୍କୁ କରୋନା ସଚେତନତା ପାଇଁ କଣ କରିବା ଓ ନ କରିବା ସଂପର୍କରେ ହୋଡିଂ ପୋଷ୍ଟର, ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଦିଆଯିବ ନାହିଁ । କୌଣସି ଅସୁସ୍ଥ, ଥଣ୍ଡା କାଶ, ଛିଙ୍କର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ । ଏଭଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରିବେ ଓ ଏହି ବ୍ୟକ୍ତି ମାନଙ୍କର ସୂଚନା ତୁରନ୍ତ ସରକାରୀ ଅନୁଷ୍ଠାନକୁ ପ୍ରଦାନ କରାଯିବ, କାର୍ଯର୍୍ୟସ୍ଥଳରେ ଗୁଟଖା, ତମାଖୁ ଇତ୍ୟାଦି ସେବନ ଓ ଛେପ ପକାଇବା ନିଷେଧ ଅଟେ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏହାକୁ ସମସ୍ତେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକର ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଏସ୍‌.ପି ରାଜ କିଶୋର ଦୋରା ଓ ବିଭିନ୍ନ ଶିଳ୍ପ ସଂସାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ