ରାଜଧାନୀରେ କୋହଳ ହେଲା କଟକଣା: ଖୋଲିଲା ଏ ସବୁ ଦୋକାନ

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ କୋହଳ ହୋଇଛି ଲକ୍‌ଡାଉନ୍ କଟକଣା। ଦୀର୍ଘ ୩୭ ଦିନ ପରେ ଲକ୍‌ଡାଉନ୍‌ ଥିବା ରାଜଧାନୀରେ ବୁଧବାରଠାରୁ କୋହଳ ହୋଇଛି କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ ସହ କେତେକ ଆବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ହୋଇଛି। ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯିବା ପରେ ବୁଧବାରଠାରୁ ଏହା କାର୍ଯ୍ୟକାରୀ ହୋଇଛି। ତେବେ ସମ୍ପୂର୍ଣ୍ଣ ବଜାର ଚଳଚଞ୍ଚଳ ହେବନାହିଁ। ଦୁଇଦିନର ମାନସମନ୍ଥନ ପରେ ଦୋକାନ ବଜାର ଖୋଲିବା ନେଇ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ନିର୍ଦେଶନାମା ପ୍ରକାଶ ପାଇଛି।
ବିଏମ୍‌ସି ପକ୍ଷରୁ ଜାରି ନିର୍ଦେଶ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଡିଏସ୍ ଦୋକାନ, ଖାଦ୍ୟ, ଗ୍ରୋସେରୀ, ଫଳ, ପନିପରିବା, ମିଲ୍କ‌ ବୁଥ୍ , ମାଂସ, ମାଛ, ପଶୁ ଖାଦ୍ୟ, ବିହନ, କୀଟନାଶକ ଆଦିର ବିକ୍ରି ଓ ପରିବହନ, ହ୍ୟାଣ୍ଡ ୱାସ୍‌, ସାବୁନ୍‌, ସାମ୍ପୁ, ଡିଟରଜେଣ୍ଟ, ଟୁଥ୍‌ପେଷ୍ଟ, ସାନିଟାରୀ ପ୍ୟାଡ୍‌, ବ୍ୟାଟେରୀ ଆଦି ଦୋକାନ ଖୋଲିବାକୁ ଅନୁମତି ମିଳିଛି। ସେହିପରି ମାର୍କେଟ୍‌ କମ୍ପ୍ଲେକ୍ସ ଓ ମଲଟି ବ୍ରାଣ୍ଡ୍‌ କିମ୍ବା ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍ ହୋଇ ନ ଥିବା ଆବାସିକ କମ୍ପ୍ଲେକ୍ସରେ ଥିବା ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ କୁ ୫୦ ପ୍ରତିଶତ କର୍ମଚାରୀରେ କାମ କରାଯିବାକୁ ନିର୍ଦେଶ ରହିଛି।
ଇଲେକ୍ଟ୍ରିକାଲ୍‌ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଯଥା- ଫ୍ୟାନ୍‌, ଏସି, କୁଲର୍‌, ୱାଟର୍‌ ପ୍ୟୁରିଫାୟାର, ମୋବାଇଲ୍‌ ଫୋନ୍‌, କମ୍ପ୍ୟୁଟର୍‌ ଓ ଉପକରଣ ଆଦି ମରାମତି କରୁଥିବା ଦୋକାନ ମଧ୍ୟ ଖୋଲିବ। ସମସ୍ତ ମୋଟର ଗ୍ୟାରେଜ୍‌, ବ୍ୟାଟେରୀ ଦୋକାନ, ମୋଟର ପାର୍ଟସ୍‌ ଦୋକାନ, ଲ୍ୟୁବ୍ରିକାଣ୍ଟ୍‌ ଦୋକାନ ମଧ୍ୟ ଖୋଲିପାରିବ। ଛାତ୍ରଛାତ୍ରୀଙ୍କ ପାଇଁ ବହି ଦୋକାନ୍‌ ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ମଧ୍ୟ ଖୋଲିବ। ରେଷ୍ଟୁରାଣ୍ଟଗୁଡ଼ିକ ହୋମ୍ ଡେଲିଭରି କିମ୍ବା ପାର୍ସଲ ସେବା ଯୋଗାଇ ପାରିବେ। ସମସ୍ତ ପ୍ରକାରର ଇ-କମର୍ସ, ଅନ୍‌ଲାଇନ୍‌ ସପିଂ ଓ କୋରିଅର ସେବା ମଧ୍ୟ ଖୋଲିବ। ଗ୍ରୋସେରୀ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବିଗ୍‌ବଜାର, ରିଲାଏନ୍ସ ଫ୍ରେସ୍‌, ଓମ୍‌ଫେଡ୍ , ଓପେଲ୍‌ଫେଡ୍‌, ଚିଲିକା ଫ୍ରେସ୍ ଆଦି ସମସ୍ତ ଖୋଲାରହିବ। ସେମାନେ ମଧ୍ୟ ହୋମ୍ ଡେଲିଭରୀ ସେବା ଯୋଗାଇ ଦେବେ। ବ୍ୟାଙ୍କ ଓ ଏଟିଏମ୍‌ଗୁଡ଼ିକ ଖୋଲା ରହିବ। କିନ୍ତୁ ବ୍ୟାଙ୍କରେ ସର୍ବାଧିକ ୩୦ ପ୍ରତିଶତ କର୍ମଚାରୀ କାମ କରିପାରିବେ।
ଟେଲିକମ୍ୟୁନିକେସନ୍‌, ଇଣ୍ଟରନେଟ୍‌ ସେବା, ବ୍ରଡକାଷ୍ଟିଂ, କେବୁଲ ସେବା, ଡିଟଏଚ୍ ଓ ଅପଟିକାଲ୍‌ ଫାଇବର୍‌ ସେବା ଯୋଗାଉଥିବା ଦୋକାନ ଓ ସଂସ୍ଥା ଖୋଲା ରହିବ। ପେଟ୍ରୋଲ୍‌ ପମ୍ପ, ଏଲପିଜି, ପେଟ୍ରୋଲିୟମ ଗ୍ୟାସ୍ ରିଟେଲ ଓ ଷ୍ଟୋରେଜ୍ ପ୍ରତିଷ୍ଠାନ ମଧ୍ୟ ଖୋଲିବ। ଘରୋଇ ସିକ୍ୟୁରିଟି ସେବା, ହୋଟେଲ, ହୋମ୍ ଷ୍ଟେ, ଲଜ ଓ ମୋଟେଲ୍‌ ଏବଂ ପର୍ଯ୍ୟଟକଙ୍କୁ ଆବାସିକ ସେବା ଯୋଗାଉଥିବା ପ୍ରତିଷ୍ଠାନ ପାଇଁ ନିୟମ କୋହଳ ହୋଇଛି। ଆଇଟି ମରାମତି, ଇଲେକ୍ଟ୍ରିସିଆନ୍‌, ପାଣି ପାଇପ୍ ମିସ୍ତ୍ରୀ, ମୋଟର ମେକାନିକ୍ ଓ ବଢ଼େଇ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ସେବା ଯୋଗାଇବାକୁ ଅନୁମତି ମିଳିବ। ସେହିପରି ସମସ୍ତ ମାର୍କେଟ୍ କେପ‌ମ୍ପ୍ଲକ୍ସ୍‌, ମଲ୍ଟି ବ୍ରାଣ୍ଡ୍‌ ଓ ସିଙ୍ଗିଲ୍ ବ୍ରାଣ୍ଡ ମଲ୍, ଜିମ୍‌ନାସିୟମ୍, ଗେମ୍ ପାର୍ଲର, ସାଲୁନ୍ , ସ୍ପା, ବିଉଟି ପାର୍ଲର, ମସାଜ୍ ସେଣ୍ଟର୍‌, ଠେଲା ଗାଡ଼ି, ପାନl ଚାହା/କଫି ବୁଥ୍, ଫାଷ୍ଟ୍‌ଫୁଡ୍‌, ଟିଫିନ୍‌ ଷ୍ଟଲ୍‌, ଜୁସ୍ ଦୋକାନ ଆଦି ପୂର୍ବଭଳି ବନ୍ଦ ରହିବ ବୋଲି ନିର୍ଦେଶନାମାରେ କୁହାଯାଇଛି।
ତେବେ ଏହି ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ କଟକଣା ମଧ୍ୟରେ ଖୋଲା ରହିବ। ଦୋକାନ ଅବା ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗରେ ୫ରୁ ଅଧିକ ଗ୍ରାହକ ରହିବେ ନାହିଁ। ସାମାଜିକ ଦୂରତା ରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିୟମାବଳୀର ଅନୁପାଳନ କରିବେ। ପ୍ରତ୍ୟେକ ବ୍ୟବସାୟ କେନ୍ଦ୍ରରେ ସାନିଟାଇଜର୍/ହାତ ଧୁଆ ବ୍ୟବସ୍ଥା ବାଧ୍ୟତାମୂଳକ ହେବ। ଯେଉଁ କର୍ମଚାରୀଙ୍କ ଜ୍ବର, ସର୍ଦି କାଶର ଲକ୍ଷଣ ଥିବ ସେମାନଙ୍କୁ ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟ କେନ୍ଦ୍ର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ନିଜର ଟ୍ରେଡ୍ ଲାଇସେନ୍ସ ଅବା ପ୍ରମାଣପତ୍ରର କପିକୁ ଦୋକାନ ମାଲିକ ଓ ସେମାନଙ୍କ କର୍ମଚାରୀ ରାସ୍ତାରେ ଯିବା ଆସିବା ପାଇଁ ପାସ୍ ଭାବେ ବ୍ୟବହାର କରିପାରିବେ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ