ସିଟି କୋଅର୍ଡିନେସେନ୍ କମିଟି ପକ୍ଷରୁ ଶ୍ରମିକ ଦିବସ ପାଳିତ  

ଜୟପୁର, (ଓ୍ୱାଇଏନ୍‌ଏସ୍‌): ମହାନ୍ ମଇ ଦିବସ ବିଶ୍ଵ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ସମ୍ମୁଖରେ ଲାଲ୍ ପତାକା ଉତ୍ତୋଳନ କରିଥିଲେ ସାଥି ନଳିନୀ ରଥ । କୋରୋନା ମହାମାରୀ ପାଇଁ ସତର୍କତା ଅବଲମ୍ବନ କରି ପଟୁଆର ନକରି ଶ୍ରମିକ ଭବନରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶ୍ରମିକ ନେତା ଶ୍ରୀ ଭଗବାନ ରେଡ୍ଡୀ ସଭାପତିତ୍ୱ କରିଥିଲେ । ଆଲୋଚନା ରେ ଓସ୍ରୁର ସତ୍ୟ ନାରାୟଣ ବରାଳ , ମୋଟର କର୍ମଚାରୀ ସଂଘର ବିନୋଦ ବାହାଦୁର, ସଂଗଠନ ସମ୍ପାଦକ ଯୁଧିଷ୍ଠିର ରାଉଳ, ରାମକୃଷ୍ଣ ଦାସ, ସୁଦର୍ଶନ ବିଷୋୟୀ, ପ୍ରମୁଖ ଆଲୋଚନା କରିଥିଲେ । ସଂଘର ସାଧାରଣ ସମ୍ପାଦକ ସାଥି ପ୍ରମୋଦ କୁମାର ମହାନ୍ତି ନିଜ ଅଭିଭାଷଣରେ କହିଥିଲେ ଯେ କୋରୋନା ସଙ୍କଟ ବିଶ୍ୱ ପୁଞ୍ଜିବାଦୀ ରାଷ୍ଟ୍ର ଓ ପୁଞ୍ଜିବାଦୀ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଲଗ୍ନ କରିଦେଇଛି । ଯେଉଁଥିପାଇଁ କି ଆମେରିକା ଭଳି ଦେଶ ଭାରତ ପାଖରୁ ମେଲେରିଆ ବଟିକା ଆମଦାନୀ କରିବା ପାଇଁ ବାଧ୍ୟ ହୋଇଛି । କୋରୋନା ଭାଇରସ୍ ମୁକାବିଲା କରିବା ରେ ନରେନ୍ଦ୍ର ମୋଦୀ ସରକାର ଜାଣି ଶୁଣି ବିଳମ୍ବ କରିଛି । ତାର କାରଣ ହେଲା ନମସ୍ତେ ଟ୍ରମ୍ପ କାର୍ଯ୍ୟ କ୍ରମ ଓ ମଧ୍ୟ ପ୍ରଦେଶର କଂଗ୍ରେସ ସରକାର କୁ ଭାଙ୍ଗି ବିଜେପି ସରକାର ପ୍ରତିଷ୍ଠା କରିବା ର ଯୋଜନା । ଜାନୁଆରୀ ମାସରେ କୋରୋନା ମୁକାବିଲା ପାଇଁ ଭାରତ ଚୀନ୍ କୁ ଚିକିତ୍ସା ସାମଗ୍ରୀ ପଠାଇଥିଲା । ଅର୍ଥାତ୍ ଆମଦେଶରେ ସରକାର ଜାଣିଥିଲେ କୋରୋନା ଭାଇରସ୍ କେତେ ସାଙ୍ଘାତିକ। ଜାନୁଆରୀ ୩୦ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚେତେଇ ଥିଲେ ଏବଂ ଫେବୃଆରୀ ୧୨ ରେ ସରକାର କୁ ସତର୍କ କରିଥିଲେ ଯେ କୋରୋନା ମହାମାରୀ ଭୟଙ୍କର ହେବ । ମଣିଷ ଓ ଅର୍ଥନୀତି ପାଇଁ କାଳ ହେବ । କିନ୍ତୁ ମାର୍ଚ୍ଚ ୧୩ ତାରିଖ ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ କୋରୋନା ଆମ ପାଇଁ ସ୍ୱାସ୍ଥ୍ୟ ଏମର୍ଜେନ୍ସି ନାହିଁ । ମାର୍ଚ୍ଚ ଶେଷ ସୁଦ୍ଧା ଅବସ୍ଥା ଗୁରୁତର ହେବାରୁ ଏବଂ ତାବଲିଗି ଜମାତ୍ ନିଜାମୁଦ୍ଦିନ ର ସଂକ୍ରମଣ କଥା ଆସିବାରୁ କେବଳ ସେମାନଙ୍କ ଉପରେ ଦୋଷ ଲଦି ବିଜେପି ଆଇ ଟି ସଲ୍ ଓ ସରକାରୀ ପ୍ରଚାର ତନ୍ତ୍ର କେବଳ ଗୋଟିଏ କମୁନିଟି କୁ ବଦନାମ କରି ଚାଲିଲେ । କିନ୍ତୁ ଏବିଷୟରେ ଜାଣି ମଧ୍ୟ କାହିଁକି ଏତେ ସଂଖ୍ୟକ ଲୋକଙ୍କୁ ସଂକ୍ରମଣ ହୋଇଥିବା ଦେଶରୁ ଭାରତକୁ ଆସିବାକୁ ଦିଆଗଲା ? ସେଥିପାଇଁ ଦାୟୀ କେନ୍ଦ୍ର ର ଗୃହ ମନ୍ତ୍ରୀ ଓ ଇମିଗ୍ରେସନ ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ଜବାବ୍ ଦେହୀ କରାଗଲା ନାହିଁ । ଆଜି କୋରୋନା ମୁକାବିଲା ପାଇଁ ଶ୍ରମିକ ଶ୍ରେଣୀ ଅଗ୍ର ଭାଗରେ ରହି କାମ କରୁଛି , ସେମାନେ ସେମାନଙ୍କୁ ସାବାସୀ ଦିଆ ଯାଉଛି କିନ୍ତୁ ସର୍ବନିମ୍ନ ମଜୁରୀ ଦିଆଯାଉ ନାହିଁ, ସୁରକ୍ଷା ଉପକରଣ ନାହିଁ । ଯେଉଁଥିପାଇଁ କି ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ମାନେ କୋରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଅପ୍ରସ୍ତୁତ ଲକ୍ ଡାଉନ୍ ଘୋଷଣା କଲା ପରେ ଯେଭଳି ଅଭାବନୀୟ ଘଟଣା ଘଟିଛି ତାହା ଦେଶର ଶ୍ରମିକ ମାନଙ୍କ ଅବସ୍ଥାକୁ ଖୋଲି ଦେଇଛି । ସବୁ ରାଜ୍ୟରୁ ଭିନ ଭିନ୍ନ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଲକ୍ଷ ଲକ୍ଷ ଶ୍ରମିକ କାମ କରିବା ପାଇଁ ଯାଉଛନ୍ତି । ଆଉଟ୍ ସୋର୍ସିଙ୍ଗ୍ ଓ ଶୋଷଣ ଏକ ମାତ୍ର ଲକ୍ଷ । ଉଦାହରଣ ଦେଇ କହିଥିଲେ ଯେ ମାଥିଲି ରୁ ଯାଇ ବାଙ୍ଗାଲୋର ରେ ପ୍ଲମ୍ବର କାମ କରୁଥିଲେ ଓ ସାଇକେଲ ରେ ସେଠାରୁ ଆସିଲେ । ସେହି କାମ ଏଠି ବାହାରୁ ଆସି କରୁଛନ୍ତି । ଏଠି କଳକାରଖାନା, ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ମାନ୍ଦା ଅବସ୍ଥା ପାଇଁ ଦାଦନ ଯାଇଛନ୍ତି । କୋଟି କୋଟି ଶ୍ରମିକ ଏଭଳି ଅବସ୍ଥା ରେ ଅଛନ୍ତି । କେନ୍ଦ୍ର ସରକାର ଗତ ୫ ବର୍ଷ ହେଲା ଶ୍ରମ ସଂଗଠନ ର ଜାତୀୟ ବୈଠକ କରୁନାହାଁନ୍ତି । ଆଜି ମାଲିକ ମାନେ ଦାବି କଲେଣି ବାର ଘଣ୍ଟା କାର୍ଯ୍ୟ ସମୟ କରିବା ପାଇଁ । ଲକ୍ ଡାଉନ୍ ଫଳରେ ସବୁବର୍ଗର ଶ୍ରମିକ , ଦିନ ମଜୁରିଆ,  ଛୋଟ ଦୋକାନୀ, ଫେରିବାଲା, ପରିବା ଦୋକାନୀ,ସେଲ୍ସ ମ୍ୟାନ୍ , ଏପରିକି ସ୍ୱାସ୍ଥ୍ୟ କର୍ମୀ ମାନେ ଘୋର ସଂକଟ ରେ ଗତି କରୁଥିବା ବେଳେ ଏକ ସମନ୍ୱିତ ରିଲିଫ ଯୋଜନା କାର୍ଯ୍ୟକାରୀ କରିବା ରେ ସରକାର ମାନେ ବିଫଳ ହୋଇଛନ୍ତି । ପ୍ରତ୍ୟେକ ଖଟିଖିଆ ମୁଲିଆ ମାନଙ୍କୁ ରିଲିଫ୍ ଓ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି । ବନ୍ଦ କଳକାରଖାନା ଖୋଲିବା, ସମସ୍ତ ଙ୍କୁ ମାଗଣା ଚିକିତ୍ସା ସାମଗ୍ରୀ ଦେବା , ଏବଂ କୋରୋନା ଭାଇରସ୍ ମୁକାବିଲା ପାଇଁ ଭେକ୍ସିନ୍ ବେପାରୀ କରଣ ନକରି ସମସ୍ତ ଙ୍କୁ ମାଗଣା ରେ ଦେବା ପାଇଁ ଦାବି ହୋଇଛି । ଅବସ୍ଥା ସୁଧାରିବା ପରେ ସଂଗଠନ କୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି । କୋରୋନା ସଂକ୍ରମିତ ରୋଗୀ କିମ୍ବା ବର୍ତ୍ତମାନ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଆସୁଥିବା ଶ୍ରମିକ ମାନଙ୍କୁ ହତାଦର ନକରି ଭଲ ବ୍ୟବହାର କରିବା ଓ ସଚେତନତା ଜାଗ୍ରତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ