ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ସୋମବାର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଦୃଷ୍ଟିରେ ରଖି ଉଭୟ ପରୀକ୍ଷା ଓ ସାକ୍ଷାତକାର ଆୟୋଜନ ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା । ସେଥିପାଇଁ ମେ ୩୧ ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଯେହେତୁ ଏହି ପରୀକ୍ଷା ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ ମଧ୍ୟ ଏକ ସ୍କି୍ରନିଂ ପରୀକ୍ଷା, ସେଥିପାଇଁ ତାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ମେ’ ୨୦ ପରେ ପରିସ୍ଥିତିର ପୁନଃ ସମୀକ୍ଷା କରାଯିବ ଏବଂ ଏହି ପରୀକ୍ଷାର ତାରିଖ ନିର୍ଦ୍ଧାରିତ ହେବ ।
ଆୟୋଗ ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ର ବଳକା ଛାତ୍ରଛାତ୍ରୀଙ୍କ ସାକ୍ଷାତକାର, ଇଣ୍ଡିଆନ ଇକୋନୋମିକ୍ସ ସର୍ଭିସ, ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ ୨୦୨୦ର ବିଜ୍ଞପ୍ତି, କମ୍ପାଇନ ମେଡିକାଲ ସର୍ଭିସ ପରୀକ୍ଷା-୨୦୨୦ର ବିଜ୍ଞପ୍ତି, ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ ପରୀକ୍ଷା ୨୦୨୦ର ବିଜ୍ଞପ୍ତି, ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ୨୦୨୦କୁ ଘୁଞ୍ଚାଇ ସାରିଛନ୍ତି । ପରୀକ୍ଷା ହେବାର ୩୦ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ନୂତନ ତାରିଖ ସମ୍ପର୍କରେ ସୂଚୀତ କରାଯିବ ।