ବି.ଡ଼ି.ଓଙ୍କ ମହନୀୟତା: ୯୭ ବର୍ଷିୟ ବୃଦ୍ଧା ଆଧାର କାର୍ଡ ଓ ପେନସନ ପାଇଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବିଡିଓଙ୍କ ମହନୀୟତା ଓ ଦୃଢ ମାନବିକତା ଯୋଗୁଁ ବୟସର ଅପରାହ୍ନରେ ପହଞ୍ଚିଯାଇଥିବା ଜଣେ ୯୭ ବର୍ଷର  ବୃଦ୍ଧା ଆଧାର କାର୍ଡ ପାଇବା ସହ ପେନସନ୍ ସୁବିଧା ପାଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ, ଗଜପତି ଜିଲ୍ଲାର ଗୋଷାଣି ବ୍ଲକର ତାତିପେଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଲାଗାଁର ୯୭ ବର୍ଷୀୟା ତୋଡ଼ଙ୍ଗି ରାମଲକ୍ଷ୍ମୀ ଗ୍ରାମର ଏକ ନିର୍ଜନ ସ୍ଥାନରେ ଏକୁଟିଆ ଖଣ୍ଡିଏ ଘର କରି ରହିଆସୁଛନ୍ତି । ନିର୍ଜନ ନିଚ୍ଛାଟିଆ ମଧ୍ୟରେ ତାଙ୍କର ସାହାରା ମାନେ କେବଳ ତାଙ୍କ ସମ୍ପର୍କୀୟ । ପୁତ୍ର ବଧୁ ସଭିଏଁ ରହିଥିଲେ ମଧ୍ୟ ସେମାନେ ନିଜ ନିଜ ପେଟପାଟଣା ଲାଗି ବୃଦ୍ଧାଙ୍କୁ ବୋଧେ ହୁଏ ଭୁଲିଯାଇଛନ୍ତି । ରାମଲକ୍ଷ୍ମୀଙ୍କ ସ୍ବାମୀ ବିଗତ 9 ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି । ଏପରି ସେ ଏକୁଟିଆ ରହୁଥିବା ବେଳେ ତାଙ୍କୁ ସାହାରା ଦେଉଛନ୍ତି ତାଙ୍କ ସମ୍ପର୍କୀୟ । ଅନ୍ୟପକ୍ଷରେ  ଗୋଷାଣି ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ଓ ଯନ୍ତ୍ରୀ ଶୁଭମ ଉଭୟେ ସରକାରୀ କାର୍ଯ୍ୟରେ ଗୋଲାଗାଁ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ନିର୍ଜନ ତଥା ନିଛାଟିଆ ସ୍ଥାନରେ କେବଳ ଗୋଟିଏ ଘର ଥିବା ଦେଖି ଏବଂ ସେଠାକୁ ଯାଇଥିଲେ । ବିଡିଓ ଶ୍ରୀ ପଟ୍ଟନାୟକ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଶେଷରେ ଜାଣିବାକୁ ପାଇଥିଲେ ଯେ ରାମଲକ୍ଷ୍ମୀ କୌଣସି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି । କାରଣ ତାଙ୍କର ଆଜିଯାଏଁ ଆଧାରକାର୍ଡ ଟିଏ ହୋଇପାରିନି । ଯାହା ଜାଣି ବିଡିଓ ତାଜୁବ ହୋଇଯାଇଥିଲେ । ଏହାପରେ ସମସ୍ତ ଅନୁସନ୍ଧାନ କରି ତାଟିପାଟି ପିଇଓ ବିନୋଦ ଗୌଡଙ୍କୁ ତୁରନ୍ତ ଆଧାର କାର୍ଡ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେଠୁ ଆରମ୍ଭ ହୋଇଥିଲା ଆଧାରକାର୍ଡ ପାଇଁ ବନ୍ଦବସ୍ତ ।  ଏହାପରେ ଜିଲ୍ଲା ପ୍ରଶାସନର ସହଯୋଗରେ ଆଧାର କାର୍ଡଠାରୁ ଆରମ୍ଭ କରି ରାମଲକ୍ଷ୍ମୀଙ୍କ ନାମରେ ବ୍ୟାଙ୍କ ଜମା ଖାତା, ପେନସନ୍ ବହି ଆଦି କରାଯାଇଥିଲା । ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ଅନୁମୋଦନ ପରେ ବିଡିଓ ଶ୍ରୀ ପଟ୍ଟନାୟକ ରାମଲକ୍ଷ୍ମୀଙ୍କ ଘରକୁ ଯାଇ 3500/-ଟଙ୍କା ଭତ୍ତା ସହ ବ୍ୟାଙ୍କ ଜମା ଖାତା, ପେନସନ ଖାତା ପ୍ରଦାନ କରିଥିଲେ ।  ଏସବୁ କାର୍ଯ୍ୟପାଇଁ ସେ’ମାଙ୍କ ମୁହଁରେ ହସ ଫୁଟିବା ସହ ନିଜକୁ ଆତ୍ମସନ୍ତୋଷ ମିଳିଲା ବୋଲି କହିଛନ୍ତି ବିଡିଓ ଶ୍ରୀ ପଟ୍ଟନାୟକ । ଏହା ସହ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏଥିରେ ସହଯୋଗ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆଧାର ପରିଚାଳକ, ଶାଖା ପରିଚାଳକ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଗୁରାଣ୍ଡି ଶଖା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ବିଡ଼ିଓ ସାଧୁବାଦ ଜଣାଇବା ସହ  ଏପରି କୌଣସି ଲୋକ ଏମିତି ଅସୁବିଧାରେ ନରୁହନ୍ତୁ, ପ୍ରତିଟି ଘରକୁ ଘର ବୁଲି ସର୍ଭେକ୍ଷଣ କରିବାକୁ ସମସ୍ତ ନିର୍ବାହୀ ଅଧିକାରୀଙ୍କୁ ଆଦେଶ ଜାରି କରିଛନ୍ତି । ଅନ୍ୟପକ୍ଷେ ବିଡିଓଙ୍କ ଏପରି ମହତ  କାର୍ଯ୍ୟ ପାଇଁ  ଅଞ୍ଚଳରେ ସମସ୍ତେ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ