ଦିନରେ ମହୁ ବିକ୍ରି ରାତିରେ ମନ୍ଦିରରୁ ଚୋରୀ: ୪ ଗିରଫ

କଟକ,(ଓ୍ବାଇଏନଏସ): କଟକ ଟାଙ୍ଗୀ ଥାନା ଶାଳଗାଁ ଅଞ୍ଚଳରେ ଗତ ୩ ଦିନ ମଧ୍ୟରେ ୪ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଥିଲା । ଏହି ଘଟଣାରେ ଟାଙ୍ଗୀ ଓ ଚୌଦ୍ୱାର ପୁଲିସ ବନ୍ଜାରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିବା ସହ ୩୦ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ୨୭ହଜାର ଟଙ୍କା ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ହୋଇଥିବା ବେଳେ ଟାଙ୍ଗୀ ପୁଲିସ ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ହାଜର କରିଥିବା ଜଣାପଡ଼ିଛି । ଚୌଦ୍ୱାର ପୁଲିସ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଗୋଧିବସା ଗ୍ରାମର ଭିମା ବେଦ(୨୬), ନିତିସ୍ ସିଂ(୧୯) ଓ ସୁରେଶ ସିଂ(୧୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଟାଙ୍ଗୀ ପୁଲିସ ଗିରଫ ନାବାଳକ ଠାରୁ ସୁନାର ୨ଟି ଆଖି, ଟୀକା, ୨ଟି ମୁକୁଟ, ଆଖି, ୨ ହଳ ନାକ ଫୁଲ, ମୁଖା, ୨ଟି ଭ୍ରୁଲତା, ରୂପାର ଟୀକା, ଦୁଇଟି ମୁକୁଟ, ସିନ୍ଥି, ମଥାମଣି ସହ ୮ ହଜାର ୮୫୦ ଟଙ୍କା ଜବତ କରିଛି । ଅନ୍ୟପକ୍ଷରେ ଚୌଦ୍ୱାର ପୁଲିସ ଗରିଫ ୩ ଜଣଙ୍କ ଠାରୁ ସୁନାର ୨ଟି ଆଖି, ୩ଟି ଚିତା, ୩ଟି ୟୁ ଭଳି ସୁନାର ଅଳଙ୍କାର ସହ ୧୫ ଟି ରୂପାର ମୁକୁଟ, ୬ଟି ରୂପା ଚେନ୍, ୩ ହଳ ପାଦୁକା, ୨ଟି ମଥାମଣି, ପାଉଁଜି ଓ ୧୯ ହଜାର ଟଙ୍କା ଜବତ କରିଛି । ଶାଳାଗାଁ ଅଞ୍ଚଳରେ ଦୁଇ ଦିନରେ ୩ଟି ମିନ୍ଦିରରୁ ଚୋରକୁ ନେଇ ପୁଲିସର ଚିନ୍ତାର କାରଣ ପାଲଟିଥିଲା । ପୁଲିସ ସିସିଟିଭି ଆଧାରରେ ତଦନ୍ତ ଜାରି ରଖିଥିବା ବେଳେ ରବିବାର ରାତିରେ ଭୟରପୁର ଗ୍ରାମରେ ଥିବା ନବନିର୍ମିତ ରାମ ମନ୍ଦିରରୁ ସମାନ ଢଙ୍ଗରେ ଚୋରି ହୋଇଥିଲା । ଚୋରି ସଂପର୍କରେ ଗ୍ରାମବାସୀ ସୋମବାର ସକାଳୁ ଜାଣିବା ପରେ ମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚକରି ପୁଲିସକୁ ଖବର ଦେଇଥିଲେ । ସିସିଟିଭି ଫୁଟେଜ୍ରୁ ଫଟୋ ଓ ଭିଡିଓ ସଂଗ୍ରହ ପୁଲିସ ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନ ବଜାର ଓ ଗାଁ ଲୋକଙ୍କୁ ସନ୍ଦିଗ୍ଧଙ୍କ ସଂପର୍କରେ ପଚରାଉଚୁରା କରିଥିଲେ । ଲୋକଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଗ୍ରାମବାସୀ ଚୌଦ୍ୱାର ରେଳ ଷ୍ଟେସନ୍ରେ ପହଞ୍ଚି ସନ୍ଦିଗ୍ଧମାନଙ୍କୁ ଠାବ କରିଥିଲେ । ଖବର ପାଇ ସେଠାରେ ଉଭୟ ଟାଙ୍ଗୀ ଓ ଚୌଦ୍ୱାର ପୁଲିସ ଚଢଉ କରି ବନ୍ଜାରା ଗ୍ୟାଙ୍ଗର ଜଣେ ନାବାଳକ ସହ ଅନ୍ୟ ୩ଜଣ ଯୁବକକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ୍ ଅଳଙ୍କାର ଓ ଟଙ୍କା ଜବତ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଏହି ବନ୍‌ତାରା ଗ୍ୟାଙ୍ଗରେ ୧୫ରୁ ଅଧିକ ମହିଳା ଓ ଯୁବକ ସାମିଲ ଅଛନ୍ତି । ଗ୍ୟାଙ୍ଗର ସଦସ୍ୟମାନେ ଦିନରେ ମହୁ ବିକ୍ରି କରିବା ସହ ଭକ୍ତ ବେଶରେ ଆସି ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରନ୍ତି । ମନ୍ଦିରରେ ଥିବା ମୂର୍ତ୍ତିମାନଙ୍କରେ ଅଳଙ୍କାର ସମ୍ପର୍କରେ ଜାଣିବା ପରେ ରାତିରେ ଚୋରି କରୁଥିଲେ । ବିଳମ୍ବିତ ରାତିରେ ଗ୍ୟାଙ୍ଗର ସଦସ୍ୟମାନେ ମନ୍ଦିର ନିକଟରେ ପହଞ୍ଚୁଥିଲେ । ଜଣେ ବାହାରେ ରହି ନଜର ରଖିଥିବା ବେଳେ ଅନ୍ୟଜଣେ ଫାଟକ ତାଲା କାଟିଥାଏ । ପରେ ୩ଜଣ ଭିତରକୁ ଯାଇ ମନ୍ଦିରର ମୁଖ୍ୟ କବାଟରେ ଲାଗିଥିବା ତାଲା କାଟି ଅଳଙ୍କାର ସହ ହୁଣ୍ଡି ବାକ୍ସକୁ ଭାଙ୍ଗି ତା ମଧ୍ୟରେ ଥିବା ଟଙ୍କା ଲୁଟିଥାନ୍ତି। ଲୁଟେରାମାନେ ରେଳ ଷ୍ଟେସନ ପାର୍ଶ୍ବରେ ରହିଥିବା ଅଳିଆ ଆବର୍ଜନା ସ୍ଥାନରେ କିଛି ଲୁଗାପଟା ଏଣେତଣେ ପକାଇ ତା ଭିତରେ ବ୍ୟାଗ ମଧ୍ୟରେ ଅଳଙ୍କାରକୁ ଲୁଚାଇ ରଖିଥିଲେ । ଚୌଦ୍ୱାର ଥାନା ଅଞ୍ଚଳରେ ବର୍ଷ ହେଲା ଏଭଳି ଢଙ୍ଗରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ଏମାନଙ୍କ ଟେର ପାଉନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ