ପଜିଟିଭ ଚିହ୍ନଟ ପରେ ଆଉ ୩ଟି ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା

ଇାଲେଶ୍ୱର (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲର ନଟାକଟା ଗ୍ରାମ ପଂଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ କୋଭିଡ-୧୯ ପଜିଟିଭ କେସ୍ ଚିହ୍ନଟ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଂଚଳରେ ଆକ୍ଟିଭ କଂଟାକ୍ଟ ଟ୍ରେସିଂର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେହି ଅଂଚଳର ଇନ୍ଦିରା ଛକ, ଭାଗିରଥପୁର ରୋଡ ଛକ, ବସନ୍ତପୁର ଏସବିଆଇ ଗଳି ଛକ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଛକ, ସୁରବାବୁ କେବିନ ଛକ, ଷ୍ଟେସନ ଛକ ସାମ୍ନା, ରେଲୱେ କ୍ୱାର୍ଟର ଛକ, ନରଣପୁର ଗେଟ୍ ଛକ ଇତ୍ୟାଦି ସ୍ଥାନକୁ କଂଟେନମେଂଟ ଜୋନର ବାଉଣ୍ଡ୍ରି ପଏଂଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ତା ମଧ୍ୟରେ ଥିବା ଅଂଚଳକୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି । ସେହିପରି ବାଲେଶ୍ୱର ତହସିଲର କୁରାଢିଆ ଗ୍ରାମ ପଂଚାୟତର ପୋଖରୀ ସାହି ଗ୍ରାମରେ କୋଭିଡ-୧୯ ପଜିଟିଭ କେସ୍ ଚିହ୍ନଟ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳକୁ ମଧ୍ୟ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆକ୍ଟିଭ କଂଟାକ୍ଟ ଟ୍ରେସିଂର ଆବଶ୍ୟକତାକୁ ଦେଖି ଉକ୍ତ ଅଂଚଳର ପୋଖରୀ ସାହି ଛକ(ପ୍ରବେଶ), ରହିମପଡା ଛକ, କୁରାଢିଆ ସ୍କୁଲ ଛକ ପ୍ରଭୃତି ସ୍ଥାନକୁ କଂଟେନମେଂଟ ଜୋନର ବାଉଣ୍ଡ୍ରି ପଏଂଟ ଭାବେ ଚିହ୍ନଟ କରାଯିବା ସହିତ ତା ମଧ୍ୟରେ ଥିବା ଅଂଚଳକୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି । ଅନୁରୂପ ଭାବେ ବସ୍ତା ତହସିଲର ପାଉଁଶକୁଲି ଗ୍ରାମ ପଂଚାୟତର ମସଡା ଗ୍ରାମରେ କୋଭିଡ-୧୯ ପଜିଟିଭ କେସ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆକ୍ଟିଭ କଂଟାକ୍ଟ ଟ୍ରେସିଂର ଆବଶ୍ୟକତାକୁ ଦେଖି ଉକ୍ତ ଅଂଚଳର ମସଡା ଗ୍ରାମ(ପ୍ରବେଶ), ମସଡା ଛକ, ପାଉଁଶକୁଲି ଛକ, ବେଗୁନିଆ ରୋଡ ପଏଂଟ, ଗମ୍ଭାରିଆ ଛକ, ତ୍ରିନାଥ ଛକ, ସୋନପୁର-ଆନନ୍ଦପୁର ରୋଡ ପ୍ରଭୃତି ସ୍ଥାନକୁ କଂଟେନମେଂଟ ଜୋନର ବାଉଣ୍ଡ୍ରି ପଏଂଟ ଭାବେ ଚିହ୍ନଟ କରାଯାଇଥିବା ବେଳେ ତା ମଧ୍ୟରେ ଥିବା ଅଂଚଳକୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି । ସମସ୍ତ କଂଟେନମେଂଟ ଜୋନ୍‌ର ପ୍ରବେଶ ପଥକୁ ସିଲ କରାଯିବା ସହିତ ସେହି ଅଂଚଳରେ କୌଣସି ଲୋକଙ୍କର ପ୍ରବେଶ ଓ ପ୍ରସ୍ଥାନ ଉପରେ ନିଷେଧାଦେଶ ଜାରି କରାଯାଇଛି । ସମସ୍ତ ସରକାରୀ ଓ ଘରୋଇ ଯାନ ଚଳାଚଳ ଉପରେ ରୋକ ଲଗାଯାଇଛି । ସେହି ଅଂଚଳରେ ରହୁଥିବା ସମସ୍ତ ଜନସାଧାରଣଙ୍କୁ କଡାକଡି ଭାବେ ଘର ଭିତରେ ହିଁ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଔଷଧ ଯୋଗାଣ ସ୍ଥାନୀୟ ବ୍ଲକ ପ୍ରଶାସନ ଦ୍ୱାରା ଗଠିତ ଟିମ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ସେହିପରି କଂଟେନମେଂଟ ଜୋନ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି । କଂଟେନମେଂଟ ଜୋନ ମଧ୍ୟରେ ପରିମଳ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଲାଗି ସ୍ଥାନୀୟ ବିଡିଓ, ଆଇନଶୃଙ୍ଖଳା ବ୍ୟବସ୍ଥା ଲାଗି ସ୍ଥାନୀୟ ତହସିଲଦାର ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆବଶ୍ୟକତା ଲାଗି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସମସ୍ତ କାର୍ଯ୍ୟର ତଦାରଖ ପାଇଁ ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । କଂଟେନମେଂଟ ଜୋନ କଟକଣା ୭ଦିନ ଅର୍ଥାତ ଆସନ୍ତା ମେ ୧୨ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ