ସେବା ଜ୍ୟୋତି ଶୋଭାଯାତ୍ରା ଓ ଜନସଭା ପାଇଁ ବାଲେଶ୍ୱର ପ୍ରସ୍ତୁତ

ବାଲେଶ୍ୱର (ସରୋଜ ପଣ୍ଡା): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରୁ ଆରମ୍ଭ ହୋଇଥିବା ‘ସେବା ପକ୍ଷ’ର ଅଂଶସ୍ୱରୂପ ଅକ୍ଟୋବର ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ସାରା ଦେଶରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ‘ସେବା ଜ୍ୟୋତି’ ଶୋଭାଯାତ୍ରା ଓ ବିଶାଳ ଜନସଭା ଆୟୋଜନ କରାଯାଉଛି। ବାଲେଶ୍ୱର ମିଶନ୍ ଫିଲ୍ଡଠାରେ ହେବାକୁ ଥିବା ଏହି ବିଶାଳ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ବ୍ୟବସ୍ଥାର ଆଜି ସମୀକ୍ଷା କରିଛନ୍ତି ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ ସଭାସ୍ଥଳ ପରିଦର୍ଶନ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ଟାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ସମବେତ ହେବେ। ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରଙ୍ଗୋଲି ଆଦି ଆୟୋଜିତ ହେବ। ଏହାପରେ ସକାଳ ୧୦ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମ୍ବୋଧନର ସିଧାପ୍ରସାରଣ ମଧ୍ୟ କାର୍ଯ୍ୟକ୍ରମସ୍ଥଳରେ ଦେଖିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ‘ସେବା ଜ୍ୟୋତି’କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବାହାରିବ ଏବଂ ଏହା ନଗର ପରିକ୍ରମା କରିବ। ଏହି ଐତିହାସିକ ଅବସରକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ଜିଲ୍ଲାବାସୀଙ୍କୁ ବିପୁଳ ସଂଖ୍ୟାରେ ଯୋଗଦେବାକୁ ସାଂସଦ ଶ୍ରୀ ଷଡ଼ଙ୍ଗୀ ଆହ୍ୱାନ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ