କରୋନା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରାଜ୍ୟବାହାରୁ ଆସିବାକୁଥିବା ବ୍ୟକ୍ତିମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ଓ ଶଯ୍ୟା ବୃଦ୍ଧି କରିବା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ସମସ୍ତ ୨୪୯ଟି ପଂଚାୟତରେ ୧୦୮୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୪୪ହଜାର ୧୧୧ ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବା ବେଳେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ୩୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ୧୭୨୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୬୧ଜଣ ରାଜ୍ୟ ବାହାରୁ ଆସିଥିବା ବେଳେ ଅଦ୍ୟାବଧି ମୋଟ ୧୧୨୩ ଜଣ ରାଜ୍ୟବାହାରୁ ଆସିଛନ୍ତି । ଆଜି ଆସିଥିବା ୬୧ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୩୪ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୫, ମହାକାଳପଡା ବ୍ଲକର ୧, ମାର୍ଶାଘାଇ ବ୍ଲକର ୨, ରାଜନଗର ବ୍ଲକର ୪, ରାଜକନିକା ବ୍ଲକର ୯, ଆଳି ବ୍ଲକର ୧, ଡେରାବିଶି ବ୍ଲକର ୨ ଓ ଗରଦପୁର ବ୍ଲକର ୩ଜଣ ଅଛନ୍ତି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୫୯ଜଣ ଅଭିଯୁକ୍ତଙ୍କ ନାମରେ ୮୯ଟି ମାମଲା ରୁଜୁ କରାଯାଇ ୬୯ଟି ବାଇକ, ୧୦ଟି ଚାରି ଚକିଆ ଓ ୨ଟି ଅଟୋରିକ୍ସା ଜବତ କରାଯାଇ ୩ଲକ୍ଷ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୬୯୬ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେହିପରି ଜିଲ୍ଲାର ୭୪ହଜାର ୮୯୭ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଏକହଜାର ୫ଶହ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ମଦ ଦୋକାନ ଗୁଡିକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବାକୁ ଓ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।