ଖବର ପରିବେଷଣକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବି
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲାର ରାଜକନିକା ବ୍ଲକର ଡେଲି ଝରକା ଓ ଇନଷ୍ଟାଂଟ ନ୍ୟୁଜ ଚାନେଲର କାର୍ଯ୍ୟରତ ସାମ୍ବାଦିକ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କରୋନା ମହାମାରୀ ସମୟରେ ରାଜକନିକା ବିଡିଓଙ୍କ ନିକଟରେ ଦେଉଳତରା ଗ୍ରାମପଂଚାୟତର ସରକାରୀ ଅନୁଦାନ ହଡପ ସମ୍ପର୍କରେ ହୋଇଥିବା ଏକ ଅଭିଯୋଗକୁ ଭିତ୍ତିକରି ଏକ ସମ୍ବାଦ ପରିବେଷଣ କରିଥିଲେ । ଏହି ସମ୍ବାଦ ପରିବେଷଣକୁ ନେଇ ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟଙ୍କୁ ଗତ ୬ତାରିଖ ସକାଳେ ସେ ସମ୍ବାଦ ସଂଗ୍ରହ ପାଇଁ ଯାଉଥିବା ସମୟରେ ଗାନ୍ଧିଛକ ନିକଟରେ ୩/୪ଜଣ ମୁଖାପିନ୍ଧା ଲୋକ ଅଟକାଇଥିଲେ । ଶ୍ରୀ ଆଚାର୍ଯ୍ୟ ସେଠାରେ ଅଟକିବା ପରେ ମୁହଁରୁ ସେମାନେ ମୁଖା କାଢି ଦେଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଜୀବନ ବଂଚାଇବାକୁ ଶ୍ରୀ ଆଚାର୍ଯ୍ୟ ଦୈାଡି ପଳାଉଥିବା ସମୟରେ ଦେଉଳତରା ପଂଚାୟତର ଡିଲର ପୁରୁଷୋତ୍ତମ ଦାସ ଓ ତାଙ୍କ ସହଯୋଗି ସୁଶାନ୍ତ ଦାସଙ୍କ ସମେତ ଅନ୍ୟ ୩/୪ଜଣ ତାଙ୍କୁ ମାଡିବସି ଜୀବନରୁ ମାରିଦେବା ଉଦେଶ୍ୟରେ ଶ୍ରୀ ଆଚାର୍ଯ୍ୟଙ୍କ ତଂଟି ଚିପିଦେଇଥିଲେ । ଏହାପରେ ଶ୍ରୀ ଆଚାର୍ଯ୍ୟଙ୍କୁ ଜୋରଜବରଦସ୍ତ ଏକ ବାଇକରେ ବସାଇ ଡିଲରଙ୍କ ଘରକୁ ନେଇଯାଇଥିଲେ । ସେଠାରେ ଏକ ଅନ୍ଧକାର କୋଠରି ମଧ୍ୟରେ ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟଙ୍କୁ ରଖି ନାନାଦି ନିର୍ଯ୍ୟାତନା ଦେଇଥିଲେ । ସଂପୃକ୍ତ ଡିଲରଙ୍କ ପୁଅ ଦୃପ୍ତିକାନ୍ତ ଦାସଙ୍କ ସହ ତାଙ୍କର ୩/୪ଜଣ ସମର୍ଥକ ସେହି ଅନ୍ଧାର କୋଠରିରେ ପହଁଚି ଶ୍ରୀ ଆଚାର୍ଯ୍ୟଙ୍କୁ ପୁନର୍ବାର ମାଡମାରିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ଦୃପ୍ତିକାନ୍ତ ଶ୍ରୀ ଆଚାର୍ଯ୍ୟଙ୍କ ମୋବାଇଲରୁ ସମସ୍ତ ଜରୁରୀ ତଥ୍ୟ କାଟିଦେଇଥିବା ମଧ୍ୟ ସେ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ରାଜକନିକା ଥାନା ପୋଲିସ ସେଠାରେ ପହଁଚି ଶ୍ରୀ ଆଚାର୍ଯ୍ୟଙ୍କୁ ସେଠାରୁ ଉଦ୍ଧାର କରିଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଆଧାରକରି ରାଜକନିକା ଥାନା ପୋଲିସ ସେହି ୬ତାରିଖ ଅପରାହ୍ନ ସାଢେ ଗୋଟାଏ ସମୟରେ ଥାନା କେଶ ନମ୍ବର ୯୬/୨୦୨୦ରେ ଆଇପିସିର ଦଫା ୩୪୧,୩୨୩,୩୪୨,୩୦୭,୫୦୬ ଓ ୩୪ ଧାରାରେ ମାମଲା ରୁଜୁକରିଥିବା ଜଣାପଡିଛି । ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟ ଆଜି ଜିଲ୍ଲାପାଳଙ୍କୁ ଭେଟି ଏହି ଘଟଣାର ଯାଥାଶୀଘ୍ର ନିରପେକ୍ଷ ତଦନ୍ତ ପୂର୍ବକ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ସାମ୍ବାଦିକ ଶ୍ରୀ ଆଚାର୍ଯ୍ୟଙ୍କୁ ଅମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସମ୍ମିଳିତ କର୍ମଜୀବି ସାମ୍ବାଦିକ ମହାସଙ୍ଘର ଜିଲ୍ଲା ସଭାପତି ଚିତ୍ତରଞ୍ଜନ ଦାସ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ନଚେତ ବାଧ୍ୟ ହୋଇ ମହାସଙ୍ଘ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଦାସ କହିଛନ୍ତି ।