ରାସନକାର୍ଡରେ ଜାଲିଆତି କରି ଜଣେ ଗିରଫ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ମା’ର ମୃତ୍ୟୁ ପରେ ସାନଭାଇ ନାମରେ ରାସନକାର୍ଡ କରି ଦୀର୍ଘଦିନ ଧରି ସରକାରୀ ଖାଉଟି ଖାଇ ଆସୁଥିବା ଜନୈକ ବଡଭାଇକୁ ଆଜି ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ପୈାରାଚଂଳ ଅନ୍ତର୍ଗତ ୨ନମ୍ବର ୱାର୍ଡର ବଡବାରଙ୍ଗ ଗ୍ରାମର ସୀତା ଦେଇଙ୍କ ନାମରେ ଏକ ରାସନ କାର୍ଡ ଥିଲା । କିନ୍ତୁ ଗତ ୨୦୧୯ମସିହା ନଭେମ୍ବରମାସ ୧୧ତାରିଖରେ ସୀତା ଦେଇଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କ ବଡପୁଅ କାର୍ତ୍ତିକ ଚନ୍ଦ୍ର ସାହୁ (୬୦) ନିଜ ନାମରେ ସେହି ରାସନକାର୍ଡ କରିବାକୁ ଯାଇ ଅସଫଳ ହେବାପରେ ନିଜ ସାନଭାଇ ରମେଶ ଚନ୍ଦ୍ର ସାହୁଙ୍କ ନାମରେ ଏକ ରାସନକାର୍ଡ କରାଇ ନେଇଥିଲେ । ଏସମ୍ପର୍କରେ ରମେଶ କିନ୍ତୁ କିଛି ଜାଣି ନଥିଲେ । ଏବେ ରମେଶ ଏସମ୍ପର୍କରେ ଜାଣିବା ପରେ ଟାଉନ ଥାନାରେ ସମସ୍ତ ବିଷୟ ଜଣାଇ ଏକ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ଟାଉନ ଥାନା ପକ୍ଷରୁ ୭୨/୨୦୨୦ ରେ ଏକ ମାମଲା ଆଇପିସିର ଦଫା ୪୦୯, ୪୧୯, ୪୨୦, ୪୬୭, ୪୬୮, ୪୭୧ ଓ ୩୪ଧାରାରେ ରୁଜୁ କରାଯାଇ ଅଭିଯୁକ୍ତ କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସଂପୃକ୍ତ ଖାଉଟି ଡିଲର ନରୋତ୍ତମ ଦାସ କିଭଳି ରମଶେ ନାମରେ ଥିବା ରାସନକାର୍ଡରେ କାର୍ତ୍ତିକକୁ ଖାଉଟି ସାମଗ୍ରୀ ଦେଉଥିଲେ ସେ ସମ୍ପର୍କରେ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ବିଶ୍ୱାଳ କହିଛନ୍ତି ।