ପ୍ରବାସୀଙ୍କ ପାଇଁ ପ୍ରଶାସନର ପଦକ୍ଷେପକୁ ନେଇ ପାରଳା ବିଧାୟକ ଅସନ୍ତୋଷ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ପ୍ରବାସୀ ଓଡିଆ ଫେରୁଥିବା ବେଳେ ପ୍ରଶାସନର ବିଭିନ୍ନ ପଦକ୍ଷେପକୁ ନେଇ ପାରଳା ବିଧାୟକ କେ.ନାରାୟଣ ରାଓ ସନ୍ତୋଷ ନ ଥିବା ଜଣାପଡିଛି । ପ୍ରବାସୀମାନେ ରହୁଥିବା ସଂଘରୋଧ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ସେ ଅଭିଯୋଗ କରି ତୁରନ୍ତ ଏଥିନେଇ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । କରୋନା ମହାମାରି ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଚାଲୁରହିଥିବା ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକ ମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ହେଲେ ଗଜପତି ଜିଲ୍ଲାରେ ପ୍ରବାସୀ ମାନଙ୍କ ପାଇଁ ପ୍ରଶାସନ ଯେଭଳି ପଦକ୍ଷେପ ନେଇଛି ତାହା ସନ୍ତୋଷ ଜନକ ନୁହେଁ ବୋଲି ଏକ ପ୍ରେସ ବାର୍ତ୍ତା ଜରିଆରେ ପାରଳା ବିଧାୟକ କେ.ନାରାୟଣ ରାଓ ଜଣାଇଛନ୍ତି । ଜିଲ୍ଲାକୁ ଫେରିଥିବା ପ୍ରବାସୀ ମାନେ ଯେଉଁ ସଂଘରୋଧ କେନ୍ଦ୍ରରେ ରହୁଛନ୍ତି ସେଠାରେ ସେମାନଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି ତାହା ନିମ୍ନମାନର ବୋଲି ସେ ଅଭିଯୋଗ ଆଣିଛନ୍ତି । ସେହିପରି ଏହି ଖାଦ୍ୟ ଯୋଗାଣ ଦାୟୀତ୍ୱରେ ଯେଉଁ ବ୍ୟକ୍ତି କିମ୍ବା ସଂଗଠନ ରହିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଯାଇ ନ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ପ୍ରବାସୀ ମାନଙ୍କର ସ୍ୱାବ ପରୀକ୍ଷଣ ଅତି ମନ୍ଥର ଗତିରେ ହେଉଥିବା ମଧ୍ୟ ଏହି ପ୍ରେସ ବାର୍ତ୍ତାରେ କୁହାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ରେଡ ଜୋନ୍‌ରେ ଥାଇ ମଧ୍ୟ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବା ବେଳେ ଗଜପତି ଗ୍ରୀନ୍ ଜୋନ୍‌ରେ ଥାଇ ମଧ୍ୟ ଏଠାରେ ବଜାର ସମୟ ପୂର୍ବ ଭଳି ଅପରିବର୍ତ୍ତୀତ ରହିଛି । ଯାହା ଦ୍ୱାରା ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଏହି ସମସ୍ତ ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ