ହିନ୍ଦୁ କରୁଛନ୍ତି ମସଜିଦର ଦେଖାରଖା
ପଞ୍ଜାବ ଲୁଧିଆନାର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ହେଣ୍ଡା ବେଟ ଗାଁ । ଏଠାରେ ଥିବା ଏକ ମସଜିଦ ପରାଧିନ ଭାରତର ଗାଥା ବଖାଣିଥାଏ । କାରଣ ପୂର୍ବରୁ ଏଠାରେ ପାଖାପାଖି ୫୦ ଜଣ ମୁସଲମାନ ପରିବାର ରହୁଥିବାବେଳେ ଦେଶ ବିଭାଜନ ପରେ ଏଠାରେ ଗୋଟିଏ ହେଲେ ମୁସଲମାନ ପରିବାର ନାହାଁନ୍ତି । ହେଲେ ଆଜି ବି ମସଜିଦରେ ଜଳୁଛି ସଦ୍ଭାବନାର ଦୀପ । ପାକିସ୍ତାନ ମିରଖପୁର(ସିଆଲକୋଟ)ରୁ ଆସିଥିବା ୧୫ଟି ଚାଷୀ ପରିବାର ମସଜିଦର ଦେଖାରଖା କରୁଛନ୍ତି । ମୁସଲମାନ ନ ଥାଇ ମଧ୍ୟ କେବେ ମସଜିଦର ଦ୍ୱାର ବନ୍ଦ ହୋଇନାହିଁ କି କେହି କେବେ ଏହାକୁ ଭାଙ୍ଗିଦେବାକୁ ଚାହିଁ ନାହାଁନ୍ତି । ଏହି କୃଷକ ପରିବାରର ସଦସ୍ୟ ପ୍ରେମ ସିଂ ଗତ ୪ ବର୍ଷ ହେବ ସକାଳେ ସନ୍ଧ୍ୟାରେ ମସଜିଦରେ ଦୀପ ଜାଳୁଥିବା ବେଳେ ଆତ୍ମସନ୍ତୋଷ ଲାଭ କରୁଥିବା କୁହନ୍ତି । ଯଦି କୌଣସି କାମରେ ପ୍ରେମ ସିଂ ବାହାରକୁ ଯାଆନ୍ତି ତେବେ ତାଙ୍କ ପୁଅ ଗଗନଦୀପ ପିତାଙ୍କ କାମକୁ ସମ୍ଭାଳି ନେଇ ମସଜିଦରେ ଦୀପ ଜାଳି ଦିଅନ୍ତି । ଦୂରଦୂରାନ୍ତରୁ ଲୋକେ ଏଠାରେ ଆସି ମାନସିକ କରିବା ସହ ମାନସିକ ପୂରଣ ହେଲେ ଚାଦର ଚଢାଇ ଥାଆନ୍ତି । ମସଜିଦ ପାଇଁ ଗାଁରେ ସୁଖଶାନ୍ତି ବଜାୟ ରହିଛି ବୋଲି ପ୍ରେମ ସିଂ କୁହନ୍ତି ।


