ଆମେରିକାରେ ସଫଳ ହେଲା କରୋନା ଟୀକା
ନ୍ୟୁୟର୍କ : କରୋନା ସହ ବିଶ୍ୱ ଯୁଝୁଥିବାବେଳେ ଏକ ଭଲ ଖବର ମିଳିଛି । ଆମେରିକାରେ ପରୀକ୍ଷଣ କରାଯାଇଥିବା କରୋନା ଟୀକା ସଫଳ ହୋଇଥିବା ଜାଣିବାକୁ ମିଳିଛି । ଏନେଇ ଔଷଧ ନିର୍ମାତା ମୋଡେ଼ର୍ଣ୍ଣା ପକ୍ଷରୁ କୁହାଯାଇଛି । ପ୍ରଥମ ଦଫାରେ କରୋନା ଟୀକା ୮ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ସେମାନଙ୍କୁ ଦୁଇ ଡୋଜ ଟୀକା ଦିଆଯାଇଥିଲ । ମାର୍ଚ୍ଚରେ ସେମାନେ ଟୀକା ନେଇଥିବାବେଳେ ତାହା ନିରାପଦ ଓ କରୋନା ରୋକିବାରେ ସଫଳ ହୋଇଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । କିନ୍ତୁ ବଜାରରେ ଏହି ଟୀକା ଏବେ ଉପଲବ୍ଧ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି । କମ୍ପାନୀର ସୂଚନା ଅନୁଯାୟୀ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଆଂଟିବଡ଼ି ସହ କରୋନା ଟୀକା ନେଇଥିବା ବ୍ୟକ୍ତିଙ୍କ ଆଂଟିବଡ଼ି ମେଳ ଖାଇଲେ ଟୀକା ଫଳପ୍ରଦ ବୋଲି କୁହାଯାଇପାରିବ । ପ୍ରଥମ ଦଫାରେ ଯେଉଁମାନଙ୍କୁ ଏହି ଟୀକା ଦିଆଯାଇଥିଲା ସେମାନଙ୍କ ଆଂଟିବଡ଼ି ସହ କରୋନା ସୁସ୍ଥଙ୍କ ଆଂଟିବଡ଼ି ମେଳ ଖାଉଛି । ତେବେ ଏହି ଟୀକାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟିଂ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୬୦୦ ସୁସ୍ଥ ଲୋକଙ୍କୁ ଦିଆଯିବ । ସେହିପରି ଜୁଲାଇରେ ତୃତୀୟ ପର୍ଯ୍ୟାୟରେ ହଜାରରୁ ଉର୍ଦ୍ଧ୍ବ ସୁସ୍ଥ ବ୍ୟକ୍ତିଙ୍କୁ ଟୀକା ଦିଆଯିବ । ଯଦି ତିନିଟି ଯାକ ପର୍ଯ୍ୟାୟରେ ଟୀକା ସଫଳ ହୁଏ ତେବେ ବର୍ଷ ଶେଷବେଳକୁ କିମ୍ବା ୨୦୨୧ ପ୍ରାରମ୍ଭରେ କରୋନା ଭାସିନ ବଜାରକୁ ଆସିବ ବୋଲି କମ୍ପାନୀର ଅଧିକାରୀ ତାଲ ଜାକସ ପ୍ରକାଶ କରିଛନ୍ତି । ତେବେ ଏହି ଟୀକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲୋ ଓ ମିଡ଼ିୟମ ଡୋଜ ନେଇଥିବା ଜଣେ ଲୋକର ଟୀକା ନେବା ସ୍ଥାନ ନାଲି ପଡ଼ିଯିବା ସହ କୁଣ୍ଡେଇ ହେଉଥିବା ଦେଖିବାକୁ ମିଳିଥିଲା । ସେହିପରି ହାଇ ଡୋଜ ନେଇଥିବା ତିନି ଜଣଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖିବାକୁ ମିଳିଛି ।


