ନୂଆଗାଁ ପଂଚାୟତର ଯୁବକର ସନ୍ଦେହ ଜନକ ମୃତ୍ୟୁ
ନାଉଗାଁଯୁଗାବ୍ଦ ନ୍ୟୁଜ ,:ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତର ଜଣେ ଯୁବକର ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ସକାଳେ ମୃତ୍ୟୁ ଘଟିଛି । ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କ ସୂଚନା ମୁତାବକ ଉକ୍ତ ଯୁବକ ଜଣକ ହେଉଛନ୍ତି ନୂଆଗାଁର ବନ୍ଦନ ମହାନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ସେହି ଗ୍ରାମରେ ଦୋକାନ କରିଥିବା ଅଭିଳାଷ ନାୟକଙ୍କ ପାଖକୁ ଯାଇଥିଲେ । ଅଭିଳାଷଙ୍କ ଘର ସହିତ ତାଙ୍କର ଆଗରୁ ପୂର୍ବ ଶତୃତା ରହିଥିଲା । ଅଭିଳାଷଙ୍କ ନିକଟକୁ ଯାଇ ସେ ସିଗାରେଟ ମାଗିଥିଲେ । ଏତେ ରାତିରେ ସେ ଦେବାକୁ ମନା କରିବାରୁ ବନ୍ଦନ ହାତରେ ଧରିଥିବା ଏକ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଅଭିଳାଷ ଜୋରରେ ଚିତ୍କାର କରିଥିଲେ । ଅଭିଳାଷଙ୍କ ଚିତ୍କାର ଶୁଣି ପରିବାର ଲୋକ ଆସି ଅଭିଳାଷଙ୍କୁ ଉଦ୍ଧାର କରିବା ସହିତ ବନ୍ଦନ ଧରିଥିବା ଲୁହା ରଡ ଛଡାଇ ବନ୍ଦନକୁ ଆକ୍ରମଣ କରିଥିଲେ । ଯାହାଦ୍ୱାରା ବନ୍ଦନ ଗୁରୁତର ଭାବେ ଆହତ ହୋଇଥିଲା । ପରେ ଅଭିଳାଷଙ୍କ ପରିବାର ପକ୍ଷରୁ ଥାନାକୁ ଫୋନ କରାଯାଇଥିଲା । ଥାନା ପକ୍ଷରୁ ବନ୍ଦନକୁ ଉଦ୍ଧାର କରାଯାଇ ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ବନ୍ଦନକୁ ଆକ୍ରମଣ କରିଥିବା ଅଭିଳାଷ ନାୟକଙ୍କୁ ଥାନାକୁ ଅଣାଯାଇ ପଚରା ଉଚରା ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି । ସେହିପରି ବନ୍ଦନଙ୍କ ପରିବାରରେ ଭାଇ ପୁନେରେ ରହୁଥିବା ବେଳେ ବାପା ଓ ମା ଏକ ବିବାହ କାର୍ଯ୍ୟକ୍ରମରେ ବରଗଡ ଯାଇଥିଲେ । ଥାନା ପକ୍ଷରୁ ତାଙ୍କୁ ଫୋନ କରାଯାଇଥିଲା । ପରିବାର ଲୋକ ପହଂଚି ନଥିବାରୁ ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଶବ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିଲା । ସୁଚନା ଯୋଗ୍ୟ ଯେ ବନ୍ଦନଙ୍କ ନାମରେ ପୂର୍ବରୁ ଥାନାରେ ଅନେକ ମାମଲା ରହିଛି । କେଶ ନଂ ୬୩/୧୪,୩୨୪/୧୪,୧୪୧/୧୮,୨୩୪/୧୮,୨୪/୧୯ ରେ ବିଭିନ୍ନ ଅପରାଧ ମୂଳକ କେଶ ରହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବନ୍ଦନ ଗଣ୍ଡଗୋଳ କରିବା ସମୟରେ ଖବର ପାଇ ଥାନା ପକ୍ଷରୁ ପୋଲିସ ପହଂଚି ବନ୍ଦନକୁ ଥାନାକୁ ଆଣି ମାଡ ମାରି ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଥିବା ପ୍ରକୃତ ଘଟଣା ପରିବାର ଲୋକଙ୍କ ଅଭିଯୋଗ ପରେ ପଦାକୁ ଆସି ବୋଲି ଚର୍ଚ୍ଚା ହେଉଛି ।


