ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ ହାଇକୋର୍ଟ ବାର୍‌ ଆସୋସିଏସନ୍

କଟକ, (ଓ୍ବାଇଏନଏସ) : ଗୋଟିଏ ପଟେ ହାଇକୋର୍ଟରେ ମାମଲା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟପଟେ ହାଇକୋର୍ଟର ବିଚାରପତି ପଦ ପୂରଣ କରାଯିବା ପରିବର୍ତ୍ତେ ଜଣଙ୍କ ପରେ ଜଣେ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରାଯାଉଛି । ବର୍ତ୍ତମାନ ଏଭଳି ସ୍ଥିତି ଉପୁଜିଛି ଯେ ହାଇକୋର୍ଟର ମଞ୍ଜୁରିପ୍ରାପ୍ତ ପଦବିର ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡିଛି । ଏହାଦ୍ୱାରା ବିଚାର ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ହାଇକୋର୍ଟରେ ମଂଜୁରିପ୍ରାପ୍ତ ବିଚାରପତି ପଦ ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଛି । ହାଇକୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଲଲାଟେନ୍ଦୁ ସାମନ୍ତରାୟ କହିଛନ୍ତି ଯେ, ଆସୋସିଏସନ ପକ୍ଷରୁ ଏକ ଜରୁରି ବୈଠକ ବସି କେତେକ ପ୍ରସ୍ତାବ ଗୃହୀତ ହୋଇଛି । ହାଇକୋର୍ଟରେ ଅଧିକରୁ ଅଧିକ ବିଚାରପତି କିପରି ନିଯୁକ୍ତି ହେବ ସେଥିପାଇଁ ଭାରତର ରାଷ୍ଟ୍ରପତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ କଲେଜିୟମ ବିଚାରପତିଙ୍କୁ ସ୍ମାରକପତ୍ର ପଠାଯିବ । ହାଇକୋର୍ଟ ବାର୍ ଆସୋସିଏସନର ପ୍ରତିନିଧିମାନେ ଭାରତର ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ କରି ଉପରୋକ୍ତ ଅଭିଯୋଗ ଉପସ୍ଥାପନ କରିବେ। ଆବଶ୍ୟକ ସ୍ଥଳେ ଓଡ଼ିଶା ହାଇକୋର୍ଟରେ ନୂତନ ବିଚାରପତି ନିଯୁକ୍ତି ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିଟ୍ ଆବେଦନ ମଧ୍ୟ ଦାଖଲ କରାଯିବ ବୋଲି ସଭାପତି କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ, ହାଇକୋର୍ଟରେ ବର୍ତ୍ତମାନ ୧ ଲକ୍ଷ ୭୦ ହଜାର ମାମଲା ବିଚାର ଅପେକ୍ଷାରେ ରହିଛି । ପୁଣି ପ୍ରତିଦିନ ଶହଶହ ସଂଖ୍ୟାରେ ନୂଆ ମାମଲା ରୁଜୁ ହେଉଛି । ବର୍ତ୍ତମାନ ଦୁଇଜଣ ବିଚାରପତିଙ୍କୁ ବଦଳି କରାଯାଇଛି । ସେମାନଙ୍କ ବଦଳି ପରେ ହାଇକୋର୍ଟରେ ମାତ୍ର ୧୫ ଜଣ ବିଚାରପତି ରହିବେ । ଆଉ ଦୁଇ ମାସ ପରେ ଆହୁରି ଦୁଇ ଜଣ ବିଚାରପତି ହାଇକୋର୍ଟରୁ ଅବସର ଗ୍ରହଣ କରିବେ । ସେମାନଙ୍କ ପରେ ବିଚାରପତି ସଂଖ୍ୟା ୧୩ କୁ ଚାଲି ଆସିବ । ଏଭଳି ସ୍ଥିତିରେ ଜଣେ ଲୋକ ହାଇକୋର୍ଟରୁ କିପରି ତ୍ୱରିତ ନ୍ୟାୟ ପାଇବାକୁ ଆଶା କରିବ? ବର୍ତ୍ତମାନ ମାମଲାଗୁଡ଼ିକର ଭାରରେ ଅଦାଲତ ଅତ୍ୟଧିକ ଚାପଗ୍ରସ୍ତ ହୋଇପଡ଼ିଛି ଏବଂ ନୂତନ ଭାବେ ଦାଖଲ ହୋଇଥିବା ତଥା ଜରୁରୀ ମାମଲାଗୁଡ଼ିକ ଶୁଣାଣି ପାଇଁ ତାଲିକାଭୁକ୍ତ ହେବାରେ ବିଳମ୍ବ ହେଉଛି । ଏହାଦ୍ୱାରା ରାଜ୍ୟବାସୀଙ୍କ ନ୍ୟାୟ ପାଇବାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ହୃଦାନନ୍ଦ ମହାପାତ୍ର, ଉପସଭାପତି ପ୍ରଦୀପ ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ