ଡେରାବିଶ ଅଞ୍ଚଳରେ ପାଣିରେ ବୁଡିରହିଛି ଚାଷଜମି, ଚାଷୀଙ୍କୁ ସହାୟତା ପାଇଁ ଦାବି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଓ ଗୋବରୀ ନଦୀରେ ବନ୍ୟା ଫଳରେ ଜମି ସବୁ ପାଣିରେ ବୁଡିଯାଇ ଚାଷ କ୍ଷତିଗ୍ରସ୍ତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏହି ବ୍ଲକ ଅଧିନ ଗୁଆଳସିଂ, କୁଶିଆପାଳ,କୁରୁଜଙ୍ଗା, କାଉପଡା, ଲକ୍ଷ୍ମୀନାରାୟଣପୁର, ଛୋଟୀ, ମଙ୍ଗଳପୁର ଓ ବେଣୀପୁର ପ୍ରଭୃତି ଗ୍ରାମପଞ୍ଚାୟତ ଗୁଡିକରେ ବହୁ ଚାଷ ଜମି ଜଳମଗ୍ନ ହୋଇରହିଛି। ପାଟନାଳୀ ଓ ଗୋବରୀ ନଦୀରେ ବନ୍ୟା ଆସିବା ଦ୍ୱାରା ଏହିସବୁ ପଞ୍ଚାୟତ ଅଞ୍ଚଳରେ ଥିବା ଚାଷଜମି ଗୁଡିକ ପାଣିରେ ବୁଡି ଯାଇଛି। ଧାନ ଗଛ ଉପରେ ତିନିରୁ ଚାରି ଫୁଟ ଉଚ୍ଚର ପାଣି ଚାଲିଥିବା ବେଳେ ତଳି କିଆରି ଗୁଡିକ ମଧ୍ୟ ପାଣିରେ ବୁଡି ରହିବା ଦ୍ୱାରା ପଚିଗଲାଣି। ଚାଷୀମାନେ ବହୁ ଶ୍ରମ ଓ ଅର୍ଥ ବ୍ୟୟ କରି ଜମିରେ ଧାନ ଓ ପରିବା ଚାଷ କରିଥିଲେ। ବନ୍ୟା ଯୋଗୁଁ ସମସ୍ତ ଫସଲ ନଷ୍ଟ ହୋଇଗଲାଣି। ଆଗକୁ ତଳି ପକାଇ ଧାନ ରୋଇବା ଆଉ ସମ୍ଭବ ନୁହେଁ। ତେଣୁ ଚାଷୀମାନେ ହତାଶ ହୋଇ ପଡିଥିବା କହିଛନ୍ତି। ପଡିଆ ଓ ଗୋଚର ଜମି ମଧ୍ୟ ପାଣିରେ ବୁଡି ରହିଛି। ଫଳରେ ଗୋରୁ ଗାଇ ମଧ୍ୟ ଚରିବାରେ ବହୁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଡେରାବିଶ ଅଞ୍ଚଳକୁ ବନ୍ୟାଞ୍ଚଳ ଭାବେ ଘୋଷଣା କରାଯାଇ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯିବାକୁ ଗୋଲକ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ, ଅଭିମନ୍ୟୁ ସାହୁ ପ୍ରମୁଖ ଜିଲ୍ଲାପାଳ ଓ ସରକାରଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ