65 ବର୍ଷର ବୃଦ୍ଧାଙ୍କୁ ଅପମାନଜନକ ମନ୍ତବ୍ୟ : କୋର୍ଟରେ ହଜାର ହେଲେ ବିଡିଓ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): 65 ବର୍ଷ ବୃଦ୍ଧଙ୍କୁ ଅପମାନଜନକ ମନ୍ତବ୍ୟ ଓ ଧମକ ଦେବା ମାମଲାରେ ଗଜପତି ଜିଲ୍ଲା ଗୁମ୍ମା ବିଡିଓ ତୁଲାରାମ ମାରାଣ୍ଡି ଗତକାଲି ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ହାଜର ହୋଇଛନ୍ତି। ଅଦାଲତର ସମନ ଅନୁଯାୟୀ ବିଡିଓ ନିଜ ପକ୍ଷ ରଖିବା ପାଇଁ ସମୟ ମାଗିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ, ଗୁମ୍ମା ଗ୍ରାମ ଖ୍ରୀଷ୍ଟିଆନ ସାହିର ଅଜୟ ବଡ଼ନାୟକ (୬୫) ଜଣେ ଶ୍ରମିକ ହୋଇଥିବା ବେଳେ ଗତବର୍ଷ ଅଗଷ୍ଟ ୧୮ ତାରିଖ ସକାଳ ୧୧ଟାରେ ନିଜ ଅଞ୍ଚଳର ସମସ୍ୟା ନେଇ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ବିଡିଓ ତୁଲାରାମ ମାରାଣ୍ଡି ତାଙ୍କୁ ବୟସ ଓ ଜାତିକୁ ନେଇ ଅପମାନଜନକ ମନ୍ତବ୍ୟ ଦେବାସହ ଗାଳି ଗୁଲଜ ଓ ଧମକ ଦେଇ ବ୍ଲକ କାର୍ଯ୍ୟାଳୟରୁ ଚାଲିଯିବାକୁ କହିଥିବା ନେଇ ଅଜୟ ଅଭିଯୋଗ ଆଣି ଗତ ବର୍ଷ ସେରଙ୍ଗ ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ପୁଲିସ ମାମଲା ରୁଜୁ କରି ନଥିବାରୁ ସେ ପରେ ଅଦାଲତରେ ଅଭିଯୋଗ ପିଟିସନ୍ ଦାଖଲ କରିଥିଲେ। ମାମଲାରେ ଆଇପିସିର ୨୯୪, ୫୦୬ ଓ ୩୨୩ ଧାରା ଉଲ୍ଲେଖ କରାଯାଇଛି। ଅଦାଲତ ପକ୍ଷରୁ ଜାରି ସମନ ଅନୁଯାୟୀ ଗତକାଲି ବିଡିଓ ଅଦାଲତରେ ହାଜର ହୋଇଥିଲେ।


