ଏଲଆରସି ଥିଲେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯିବନି : ହାଇକୋର୍ଟ

କଟକ, (ଓ୍ବାଇଏନଏସ): ସରକାରୀ ଜମିରେ ଦୀର୍ଘବର୍ଷ ଧରି ରହୁଥିବା ଜଣେ ବସ୍ତିବାସିନ୍ଦାଙ୍କ ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପାଖରେ ଯଦି ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ (ଏଲ୍‌ଆର୍‌ସି) ରହିଛି ଏବଂ ସେ ଏହାକୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରନ୍ତି, ତେବେ ତାଙ୍କୁ ସମ୍ପୃକ୍ତ ଜମିରୁ ଉଚ୍ଛେଦ କରାଯିବ ନାହିଁ। ଜଷ୍ଟିସ ଡ. ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ବିଚାର କରି ଏହି ଆଦେଶ ଦେଇଛନ୍ତି।ମାମଲାର ବିବରଣୀରୁ ପ୍ରକାଶ ଯେ, ଢେଙ୍କାନାଳ ମୌଜା ବନମାଳୀପ୍ରସାଦର ଖାତା ନଂ ୫୩୯, ପ୍ଲଟ ନଂ ୯୪ ଜମିରେ ଅଶୋକ ଜେନା ନାମକ ଜଣେ ବ୍ୟକ୍ତି ଗତ ୨୦ ବର୍ଷରୁ ଅଧିକ ସମୟ ଧରି ଘର କରି ରହିଆସୁଥିଲେ। ‘ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନ, ୨୦୧୭’ ଅଧୀନରେ ଉକ୍ତ ଜମିର ବନ୍ଦୋବସ୍ତ ପାଇଁ ସେ ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ; ମାତ୍ର ଗତ ଜୁଲାଇ ୨୪ରେ ନିର୍ବାହୀ ଅଧିକାରୀ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହି ନିର୍ଦେଶ ବିରୋଧରେ ଆବେଦନକାରୀ ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ନକରି ବେଆଇନ ଭାବେ ଉଚ୍ଛେଦ କରାଯାଉଥିବା ନେଇ ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଅପରପକ୍ଷରେ ଢେଙ୍କାନାଳ ପୌରପାଳିକା ପକ୍ଷରୁ କୋର୍ଟଙ୍କୁ ଜଣାଯାଇଥିଲା ଯେ ଜମି ଅଧିକାର ପ୍ରମାଣପତ୍ର ପାଇଥିବା କୌଣସି ବ୍ୟକ୍ତିଙ୍କୁ ହଇରାଣ କରାଯାଉନାହିଁ। ଯେଉଁମାନଙ୍କ ପାଖରେ ପ୍ରମାଣପତ୍ର ନାହିଁ, ସେମାନଙ୍କୁ ଆବେଦନ କରିବାକୁ ଓ ପ୍ରମାଣପତ୍ର ଦାଖଲ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା। ଅନେକ ଜବରଦଖଲକାରୀ ପ୍ରମାଣପତ୍ର ଦାଖଲ କରିବାରେ ବିଫଳ ହେବାରୁ ସରକାରୀ ଜମିରେ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉଚ୍ଛେଦ ନିର୍ଦେଶ ଦିଆଯାଇଛି। ଅଦାଲତ କହିଛନ୍ତି ଯେ, ଆବେଦନକାରୀ ଯଦି ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ (ଏଲ୍‌ଆର୍‌ସି) ପାଇଛନ୍ତି, ତେବେ ତାହା କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିପାରିବେ। ପ୍ରମାଣପତ୍ର ଦାଖଲ ହେଲେ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ସହାନୁଭୂତିର ସହ ବିଚାର କରିବେ ଓ ତାଙ୍କୁ ଉଚ୍ଛେଦ କରିବେ ନାହିଁ। ଯଦି ପ୍ରମାଣପତ୍ର ମିଳିନାହିଁ, ତେବେ ଆବେଦନକାରୀ ଆବଶ୍ୟକ କାଗଜପତ୍ର ସହ ପୁନର୍ବାର ଆବେଦନ କରିପାରିବେ। ସେହିପରି ଆବେଦନ ମିଳିବାର ଗୋଟିଏ ମାସ ମଧ୍ୟରେ କର୍ତ୍ତୃପକ୍ଷ ଯୋଗ୍ୟତା ଭିତ୍ତିରେ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ନେବେ। ଏହାସହ ଯଦି କୌଣସି ଅପିଲ୍ ମାମଲା ବିଚାରାଧୀନ ଅଛି, ତେବେ ଆପିଲେଟ୍ ଅଥରିଟି ତାହାର ଶୀଘ୍ର ଫଇସଲା କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ