ବାଘଶଳା ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ଅନଶନ ପ୍ରତ୍ୟାହୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ବାଘଶଳା ଠାରେ ଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ବାହାର ରାଜ୍ୟରୁ ଆସି ରହିଥିବା ପ୍ରବାସୀମାନେ ସ୍ୱାବ୍ ସଂଗ୍ରହକୁ ଦାବି କରି ଧାରଣା ଦେଇଥିବା ସୁଚନା ମିଳିଛି । ଏଠାରେ ରହୁଥିବା ପ୍ରବାସୀମାନଙ୍କ ମଧ୍ୟରୁ ମଦନ ମୋହନ ପ୍ରଧାନ,ଡି.ଦିଲ୍ଲୀବାବୁ,ଭେଙ୍କଟ ରାଓ,ଜୟ କୃଷ୍ଣ,କେ.ମଧୁ ପ୍ରମୁଖ କହିଛନ୍ତି ଯେ,ବାଘଶଳା ଆର.ସି.ଡି ବାଳିକା ହାଇସ୍କୁଲ ପରିସରରେ ପ୍ରଶାସନ ଦ୍ୱାରା ଖୋଲାଯାଇଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ଆମ୍ଭେ ପ୍ରାୟ ୮୦ଜଣ ବାହାର ରାଜ୍ୟରୁ ଫେରିଥିବା ଗଜପତିର ପ୍ରବାସୀମାନେ ଗତ ୧୬/୧୭ଦିନ ହେଲା ରହିଛୁ । ରହିବା ଦିନ ଠାରୁ ଆମ୍ଭମାନଙ୍କ ସ୍ୱାବ୍ ସଂଗ୍ରହ ହେବ ଏବଂ ଏହା ଦ୍ୱାରା କରୋନା ସଂକ୍ରମଣ ଚିହ୍ନଟ ହେବ ବୋଲି ସଂଘରୋଧ କେନ୍ଦ୍ରରେ କୁହାଯାଉଥିଲା । ଆଉ ୪/୫ଦିନ ପରେ ୨୧ ଦିନ ପୁରିଯିବ । ଆମ୍ଭମାନଙ୍କୁ ନିଜ ନିଜର ଘରକୁ ଏଠାରୁ ପଠାଇ ଦିଆଯିବ । ହେଲେ ଆଜି ପର୍ଯ୍ୟନ୍ତ ସ୍ୱାବ୍ ସଂଗ୍ରହ କରାଯାଇ ନାହିଁ । ତେଣୁ ଆମ୍ଭେମାନେ ଏଠାରେ ଏତେ ଦିନ ରହି ସୁଦ୍ଧା କରୋନା ସଂକ୍ରମଣ ହୋଇଛି ନା ନାହିଁ ତାହା ସ୍ୱଷ୍ଟ କରାଗଲା ନାହିଁ । ତେଣୁ ଆମ୍ଭେମାନେ ଏକତ୍ରିତ ଭାବେ ଆଜି ସ୍ୱାବ୍ ସଂଗ୍ରହ ପାଇଁ ନିଷ୍ପତ୍ତି କରି ଅସ୍ଥାୟୀ ସଂଘରୋଧ କେନ୍ଦ୍ର ପରିସରରେ ଅନଶନ ସହ ଧାରଣା ଦେଇଛୁ । ଆଜି ସକାଳୁ ପ୍ରତିଦିନ ଭଳି ଆମକୁ ଜଳଖିଆ ଦିଆଗଲା । ହେଲେ ଆମ ନିଷ୍ପତ୍ତି ଅନୁଯାୟୀ ସ୍ୱାବ୍ ସଂଗ୍ରହ ନ କରିବା ପର୍ଯ୍ୟନ୍ତ କୌଣସି ଖାଦ୍ୟପେୟ ଗ୍ରହଣ ନ କରି ଅନଶନ ସହ ଧାରଣା ଚାଲୁ ରଖିବୁ । ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସ, ଓ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଏଠାକୁ ଆସି ଆମକୁ ଧାରଣାରୁ ନିବୃତ୍ତ ହେବାକୁ କହିବା ସହ ସ୍ୱାସ୍ଥ୍ୟ ବିଭାଗର ସ୍ୱାବ୍ ସଂଗ୍ରହ ନିୟମକୁ ବୁଝାଇଥିଲେ । ଆବଶ୍ୟକ ଅନୁଧ୍ୟାନ ପରେ ଏଠାରେ ଥିବା କେବଳ କିଛି ଲକ୍ଷଣ ଥିବା ଲୋକଙ୍କ ଠାରୁ ହିଁ ସ୍ୱାବ୍ ସଂଗ୍ରହ କରାଯିବ ବୋଲି ବୁଝାଇବା ପରେ ମଧ୍ୟାହ୍ନ ସମୟରେ ଆମେ ଅନଶନ ଓ ଧାରଣାରୁ ନିବୃତ୍ତ ହେବା ସହ ମଧ୍ୟାହ୍ନ ଭୋଜନ ଗ୍ରହଣ କଲୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ