ରାଫେଲ ଜେଟ୍ ଦେବାରେ ବିଳମ୍ବ କରିବନି ଫ୍ରାନ୍ସ
ନୂଆଦିଲ୍ଲୀ: ଫ୍ରାନ୍ସରୁ ଭାରତ ଆସିବାକୁ ଥିବା ୩୬ଟି ରାଫେଲ ଜେଟ୍ ମିଳିବାରେ କୌଣସି ବିଳମ୍ବ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ ଲେନାଇନ ଏନେଇ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାରଙ୍କ ସହ ଫ୍ରାନ୍ସ ସରକାର ଯେଉଁ ରାଜିନାମା କରିଛନ୍ତି, ସେଥିରେ ଏପାଖ ସେପାଖ ହେବାର କୌଣସି ସମ୍ଭାବନା ନାହିଁ। କୋରୋନା ପାଇଁ ଫ୍ରାନ୍ସ ବହୁତ ମାତ୍ରାରେ ପ୍ରଭାବିତ ହୋଇଥିଲେ ବି ଚୁକ୍ତି ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ଠିକ ସମୟରେ ଭାରତ ମାଟିରେ ୩୬ ରାଫେଲ ଜେଟ ପହଞ୍ଚିବ ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ କହିଛନ୍ତି। ସୂଚନାଯୋଗ୍ୟ ୨୦୧୬ ସେପ୍ଟେମ୍ବରରେ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ରାଫେଲ ଜେଟ୍ ନେଇ ଚୁକ୍ତି ହୋଇଥିଲା। ୩୬ଟି ରାଫେଲ ପାଇଁ ଭାରତ ସରକାର ୫୮ ହଜାର କୋଟି ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ୩୬ଟି ରାଫେଲ ଜେଟ୍ ମଧ୍ୟରେ ୩୦ଟି ଫାଇଟର ଜେଟ୍ ରହିଥିଲା ବେଳେ ୬ଟି ଟୁ ସିଟର ଟ୍ରେନିଂ ଜେଟ ରହିଛି। ଯାହାକୁ ନେଇ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲା। ଏହି ରାଫେଲ ଜେଟ୍ କିଣା ପଛରେ ବଡ଼ ଡିଲ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା, ଯାହାକୁ ସୁପ୍ରିମକୋର୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ଖାରଜ କରି ଦେଇଥିଲେ।


