କେନ୍ଦ୍ରାପଡା ଜିଲ୍ଲାରେ ଆଉ ୬ କରୋନା ପଜିଟିଭ ଚିହ୍ନଟ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଆଉ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଗତ ଦୁଇଦିନ ମଧ୍ୟରେ ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୬୧ରେ ପହଁଚିଛି । ଏହି ୬ଜଣଙ୍କ ମଧ୍ୟରୁ ଜଣେ ପୂର୍ବରୁ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ରହିଥିବା ବେଳେ ଅନ୍ୟ ୫ଜଣ ପ୍ରବାସୀ ବାହାର ରାଜ୍ୟରୁ ଫେରି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଡେରାବିଶ ବ୍ଲକର ୩ଜଣ ହୋଇଥିବା ବେଳେ ମହାକାଳପଡା ବ୍ଲକର ୩ଜଣ ଅଛନ୍ତି । ସମସ୍ତ ୫ଜଣ କରୋନା ପଜିଟିଭଙ୍କୁ ଛତାସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନେ ରହୁଥିବା ସଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଜିଲ୍ଲାର ମୋଟ ୬୧ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପୂର୍ବରୁ ୨୨ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିବା ବେଳେ ଆଜି ଆଉ ୪ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ମୋଟ ସୁସ୍ଥ ସଂଖ୍ୟା ୨୬ରେ ପହଁଚିଛି ଓ ଜିଲ୍ଲାର ୩୫ଟି କରୋନା ଆକଟିଭ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରହିଛନ୍ତି ।


