ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ସର୍ବଦଳୀୟ ବୈଠକ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଫନି ବାତ୍ୟା ପରେ ବନ୍ଦ ରହିଥିବା କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳି ଭୋଟ ଚଳିତମାସ ୨୦ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହେବା ପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମା ଏକ ସର୍ବଦଳୀୟ ବୈଠକ ଆହୁତ କରିଥିଲେ । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଉପଲକ୍ଷେ ଅନୁଷ୍ଟିତ ସର୍ବଦଳୀୟ ବୈଠକରେ ରାଜନୈତିକ ଦଳ ଗୁଡିକ ଦ୍ୱାରା ଆଦର୍ଶ ଆଚରଣ ବିଧି ପାଳନ ଓ ନିର୍ବାଚନକୁ ଅବାଧ୍ୟ,ମୁକ୍ତ ଓ ନିରପେକ୍ଷ କରିବା ନିମିତ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ଜୁଲାଇ ୪ତାରିଖ ଗୁରୁବାର ଠାରୁ ପାଟକୁରା ବିଧାନସଭା ନିମନ୍ତେ ନିର୍ବାଚନ ଘୋଷଣା ହେବା ପରଠାରୁ ଜିଲ୍ଲାରେ ଲାଗିଥିବା ସମସ୍ତ ବ୍ୟାନର ଓ ହୋଡିଂ ଗୁଡିକୁ ଉଠାଇନେବା ସହିତ ପ୍ରାର୍ଥୀମାନେ କୈାଣସି ସଭା ସମିତି ପାଇଁ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ପୂର୍ବରୁ ଅନୁମତି ନେବେ । ଆଦର୍ଶ ଆଚରଣ ବିଧି ପାଳନକୁ ତଦାରଖ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦଳ ଓ ଭିଡିଓ ସର୍ଭେଲାନ୍ସ ଟିମ ତଦାରଖ କରିବେ । ଆସନ୍ତା ୨୦ତାରିଖରେ ନିର୍ବାଚନ,୨୪ତାରିଖରେ ଭୋଟଗଣତି ଓ ୨୬ତାରିଖ ମଧ୍ୟରେ ନିର୍ବାଚନର ସମସ୍ତ କାର୍ଯ୍ୟ ଶେଷ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ପ୍ରଦୀପ୍ତ ମହାନ୍ତି,ହରିଲାଲ ଅଗ୍ରୱାଲ,ସିପିଆଇର ରମଣିରଞ୍ଜନ ରାଉତରାୟ,ସିପିଆଇ(ଏମ)ର ଗୟାଧର ଧଳ,ଜାତୀୟ କଂଗ୍ରେସର ପ୍ରଫୁଲ୍ଲ କୁମାର ଦାସ ଓ ବିଜେପିର ଦୁର୍ଯ୍ୟୋଧନ ସାହୁ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଡିଆରଡିଏ ପିଡି ଦିଲ୍ଲିପ କୁମାର ପରିଡା,ଅତିରିକ୍ତ ଉପଜିଲ୍ଲାପାଳ ପ୍ରଣୟ କୁମାର ଜେନା,ଡେପୁଟୀ କଲେକ୍ଟର(ନିର୍ବାଚନ) ସମ୍ବିତ ଶତପଥୀ,ସହକାରୀ ଜିଲ୍ଲାପାଳ ବିକ୍ରମ ପରିଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।